Report Card Odisha

| Daily Odia News

ଇନ୍‌ଫ୍ଲୁଏଞ୍ଜା ପାଇଁ ସତର୍କ କଲା କେନ୍ଦ୍ର…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଇନ୍‌ଫ୍ଲୁଏଞ୍ଜା ଭାଇରସକୁ ନେଇ କେନ୍ଦ୍ର ସରକାର ସତର୍କ କରାଇଛନ୍ତି | ଇନ୍‌ଫ୍ଲୁଏଞ୍ଜା ଜନିତ ରୋଗ ଓ ଗୁରୁତର ନିଶ୍ବାସ ପ୍ରଶ୍ବାସ ଜନିତ ରୋଗ ଆକ୍ରାନ୍ତଙ୍କ ଉପରେ ନଜର ରଖ। ଦେଶବ୍ୟାପୀ ଇନ୍‌ଫ୍ଲୁଏଞ୍ଜା-ଏ(ଏଚ୍‌୧ଏନ୍‌୧, ଏଚ୍‌୩ଏନ୍‌୨) ସମେତ ଏଡିନୋଭାଇରସ୍ ଭଳି ମାମଲାରେ ବୃଦ୍ଧି ହେଉଥିବାରୁ ଏ ନେଇ ସତର୍କତା ଅବଲମ୍ବନ କରିବା ଲାଗିବା କେନ୍ଦ୍ର ପକ୍ଷରୁ ରାଜ୍ୟମାନଙ୍କୁ କୁହାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏ ସଂକ୍ରାନ୍ତରେ ସବୁ ରାଜ୍ୟଙ୍କୁ ଚିଠି ଲେଖିଛନ୍ତି। ଗତ ୩ମାସ ହେବ ଓଡ଼ିଶା ସମେତ ଦେଶରେ ଥଣ୍ଡା, ଜ୍ବରରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶବ୍ୟାପୀ ବିଭିନ୍ନ ପରୀକ୍ଷାଗାରରେ ହୋଇଥିବା ନମୁନା ପରୀକ୍ଷାରେ ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା ସଂଖ୍ୟା ଅଧିକ ରହିଥିବା ନଜରକୁ ଆସିଛି। ଶିଶୁ, ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଓ ଜଟିଳ ରୋଗ ଥିବା ଲୋକମାନେ ଏଚ୍‌୧ଏନ୍‌୧, ଏଚ୍‌୩ଏନ୍‌୨ ଓ ଏଡିନୋଭାଇରସ ପ୍ରତି ସମ୍ବେଦନଶୀଳ। ସେମାନଙ୍କ ପାଇଁ ହସ୍ପିଟାଲର ଆବଶ୍ୟକତା ପଡ଼ିପାରେ। ତେଣୁ ଏଥିପାଇଁ ସତର୍କ ରହିବା ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି। ଆଇଏଲ୍‌ଆଇ ଓ ଏସ୍‌ଏଆର୍‌ଆଇରେ ଆକ୍ରାନ୍ତଙ୍କ ବ୍ୟକ୍ତିଙ୍କ ନମୁନା ନିୟମିତ ଭାବେ ପରୀକ୍ଷା କେନ୍ଦ୍ରକୁ ପଠାଇବାକୁ କୁହାଯାଇଛି। ତେବେ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ଚଳିତମାସ ଶେଷ ସୁଦ୍ଧା ହ୍ରାସ ପାଇବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଦେଶବ୍ୟାପୀ ପ୍ରତିବର୍ଷ ପ୍ରଥମ ପର୍ଯ୍ୟାୟରେ ଜାନୁଆରିରୁ ମାର୍ଚ ଓ ଦ୍ବିତୀୟ ପର୍ଯ୍ୟାୟରେ ମୌସୁମୀ ପରବର୍ତୀ ସମୟରେ ଏହା ଦେଖିବାକୁ ମିଳିଥାଏ। ଆଇଡିଏସ୍‌ପି ଜରିଆରେ ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ଉପରେ ନଜର ରଖାଯାଇଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି।

Breaking News