Report Card Odisha

| Daily Odia News

କଂଗ୍ରେସର ‘ମେରା ଘର ଆପକା ଘର’ ଅଭିଯାନ ଆରମ୍ଭ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ଦଳ ପକ୍ଷରୁ ଆରମ୍ଭ କରାଯାଇଛି ‘ମେରା ଘର ଆପକା ଘର’ ଅଭିଯାନ। ଦଳ ପକ୍ଷରୁ ମଙ୍ଗଳବାର ଟ୍ବିଟରରେ ରାହୁଲ ଗାନ୍ଧିଙ୍କର ଏକ ଫଟୋ ପୋଷ୍ଟ କରି ସେଥିରେ ଲେଖାଯାଇଛି ‘ମେରା ଘର ଆପକା ଘର’। ସୋମବାର ଏପ୍ରିଲ ୨୨ ସୁଦ୍ଧା ସରକାରୀ ବଙ୍ଗଳା ଛାଡ଼ିବାକୁ ରାହୁଲଙ୍କୁ ନୋଟିସ ଦିଆଯାଇଥିଲା। ରାହୁଲ ମଧ୍ୟ ନୋଟିସକୁ ସମ୍ମାନ ଜଣାଇ ଏହି ବଙ୍ଗଳାରେ ତାଙ୍କର ବହୁ ସ୍ମୃତି ଜଡ଼ିତ ଥିଲେ ମଧ୍ୟ ତାହା ଛାଡ଼ିବେ ବୋଲି କହିଥିଲେ। ଏହାପରେ କଂଗ୍ରେସ ଆରମ୍ଭ କରିଛି ‘ମେରା ଘର ଆପକା ଘର’ ଅଭିଯାନ ଏବଂ ଅନେକ କଂଗ୍ରେସ ନେତା ରାହୁଲଙ୍କୁ ତାଙ୍କ ଘର ଅଫର କରିଛନ୍ତି। ଉତ୍ତରପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ଅଜୟ ରାୟ ଲହୁରାବିର ଅଞ୍ଚଳରେ ଥିବା ତାଙ୍କ ଘର ଆଗରେ ଏକ ବୋର୍ଡ ମାରିଛନ୍ତି ଯେଉଁଥିରେ ଲେଖା ହୋଇଛି ‘ମେରା ଘର ଶ୍ରୀ ରାହୁଲ ଗାନ୍ଧି କା ଘର’। ଅଜୟ ରାୟ ହିନ୍ଦୀରେ ଟ୍ବିଟ୍ କରିଛନ୍ତି ‘‘ତାନାଶାହ ଆପ କିତନେ ଘର ଖାଲୀ କରାଓଗେ? ହର କାଂଗ୍ରେସ କାର୍ୟକର୍ତ୍ତା କା ଘର ରାହୁଲ ଜୀ କା ଘର ‌ହୈ। ଆଜ ହମନେ କାଶୀ ସ୍ଥିତୀ ଆବାସ କୋ ଶ୍ରୀ ରାହୁଲ ଜୀ କୋ ସମର୍ପିତ କିୟା। ଆଇୟେ ରାହୁଲ ଜୀ! କାଶୀ ମେଂ ଆପକା ସ୍ବାଗତ ହୈ।’’ ରାଜ୍ୟ କଂଗ୍ରେସ ମୁଖପାତ୍ର ଅଶୋକ ସିଂହ କହିଛନ୍ତି, ରାହୁଲ ଗାନ୍ଧି ‘ଲୋକଙ୍କ ହୃଦୟରେ ଘର କରିଛନ୍ତି’। ତାଙ୍କ ପାଇଁ ପ୍ରତ୍ୟେକ ଘରର ଦ୍ବାର ଉନ୍ମୁକ୍ତ। କାରଣ ସେ ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିଛନ୍ତି।

Breaking News