Report Card Odisha

| Daily Odia News

ଓଡିଆରେ ନାମଫଳକ ବାଧ୍ୟତାମୂଳକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଚଳିତ ମାସରୁ ସମସ୍ତ ଦୋକାନ,ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସଂସ୍ଥାରେ ଓଡିଆରେ ଲେଖାଯିବ ନାମଫଳକ। ନିୟମର ଖିଲାପକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ବ୍ୟବସାୟିକ ପ୍ରତିଷ୍ଠାନର ଲାଇସେନ୍ସ ରଦ୍ଦ କରାଯିବ। ଏହାସହ ଜୋରିମାନା ମଧ୍ୟ ଆଦାୟ କରାଯିବ। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଖିଲାପକାରୀଙ୍କୁ ୭ ଦିନିଆ ନୋଟିସ୍‌‌ ଦିଆଯିବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଥମ ଥର ଖିଲାପକାରୀଙ୍କୁ ୫ ହଜାର ଟଙ୍କା ଜୋରିମାନା ଏବଂ ଦ୍ୱିତୀୟ ଥର ଖିଲାପକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ। ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମାବିଭାଗ ପକ୍ଷରୁ ଏହି ନିୟମର କଡାକଡି ଅନୁଧ୍ୟାନ କରାଯିବ। ଗତକାଲି ମୁଖ୍ୟ ଶାସନ ସଚିବ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଅଧ୍ୟକ୍ଷତାରେ ଆୟୁକ୍ତ ତଥା ସଚିବ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଶ୍ରମ ଆୟୁକ୍ତ ଏବଂ ଜିଲା ଶ୍ରମ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସୂଚନା ଯୋଗ୍ୟ, ପୂର୍ବରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡିଆ ଭାଷାର ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଥିଲା। ଏଥିନିମିତ୍ତ ଶ୍ରମ ଓ ରାଜ୍ୟକର୍ମଚାରୀ ବୀମା ବିଭାଗ ଦ୍ୱାରା ଓଡିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ରେ ଆବଶ୍ୟକୀୟ ସଂଶୋଧନ କରାଯାଇଛି। ଏଯାବତ ରାଜ୍ୟରେ ପୌରାଞ୍ଚଳରେ ମୋଟ ୫୨,୦୦୦ ପଞ୍ଜିୀକୃତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟରୁ ପ୍ରାୟତଃ ୪୭,୦୦୦ ପ୍ରତିଷ୍ଠାନରେ ଓଡିଆର ନାମଫଳକ ମଧ୍ୟ ଲଗାଯାଇଛି। ଏହାସହ କିଛି ଖିଲାପକାରୀଙ୍କ ବିରୁଦ୍ଧରେ ମକଦ୍ଦମା ସହ ଜୋରିମାନା ଆଦାୟ କରାଯାଇଛି।

Breaking News