ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୨ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୧୧ ତାରିଖରୁ ରାଜ୍ୟରେ କାଳବୈଶାଖୀର ପ୍ରଭାବ କମିବ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ୩ରୁ ୪ ଦିନ ପରେ ରାଜ୍ୟର ଦିନ ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ବୃଦ୍ଧି ପାଇବ। ଅର୍ଥାତ ପଣାସଂକ୍ରାନ୍ତି ସୁଦ୍ଧା ରାଜ୍ୟର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଫଳରେ ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ହେବେ ରାଜ୍ୟବାସୀ। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟ ଉପରେ ଏବେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକର ପ୍ରଭାବ ନାହିଁ। ଛତିଶଗଡ଼ ଓ ଏହାର ଆଖାପାଖ ଅଞ୍ଚଳରେ ରହୁଥିବା ଝଡ଼ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ରହୁଛି। ଏହାର ପ୍ରଭାବରେ ଆଜି ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୧୦ ତାରିଖ ଦିନ ମଧ୍ୟ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ଗଜପତି, ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜ ଓ କୋରାପୁଟ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ୧୧ ତାରିଖରୁ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହିବ। ଆଜି ରାଜଧାନୀ ଭୁବନେଶ୍ବରର ପାଗ ଆଂଶିକ ମେଘୁଆ ରହିବ। ସର୍ବାଧିକ ଦିନ ତାପମାତ୍ରା ୩୮ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ |






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..