ରିପୋର୍ଟ କାର୍ଡ / ଭୁବନେଶ୍ବର
କେନ୍ଦ୍ର ସରକାରଙ୍କ ସିଗାରେଟ୍ ଓ ଅନ୍ୟ ତମାଖୁ ଉତ୍ପାଦ ଆଇନରେ ସର୍ବସାଧାରଣ ସ୍ଥାନରେ ଧୂମପାନ, ବିଦ୍ୟାଳୟ ନିକଟରେ ତମାଖୁ ବିକ୍ରି ଓ ୧୮ବର୍ଷରୁ କମ୍ ବୟସର ପିଲା ଧୂମପାନ କରୁଥିଲେ ଏଥିପାଇଁ ୨ଶହ ଟଙ୍କା ଜରିମାନା ରହିଛି। ମାତ୍ର ରାଜ୍ୟ ସରକାର ଏହାକୁ ଆହୁରି କଠୋର ଭାବେ ଅନୁପାଳନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସର୍ବସାଧାରଣ ସ୍ଥାନରେ ଧୂମପାନ ଆଗକୁ ମହଙ୍ଗା ପଡ଼ିପାରେ। କୋଟ୍ପା ଆଇନ ଉଲ୍ଲଘଂନ ପାଇଁ ଥିବା ଜରିମାନା ରାଶି ବଢ଼ାଇବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଏହି ରାଶିର ପରିମାଣ ୫ଶହରୁ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ। ଏଥିପାଇଁ ଆଇନ, ପୁଲିସ ବିଭାଗର ସହାୟତାରେ ଏକ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। କେଉଁ ଢଙ୍ଗରେ ଏହି ଜରିମାନା ବୃଦ୍ଧିକୁ କାର୍ଯ୍ୟକାରୀ କରାଯିବ ଏହି କମିଟି ସେ ସଂକ୍ରାନ୍ତ ପ୍ରସ୍ତାବ ଦେବ। କୋଟ୍ପା ଏକ କେନ୍ଦ୍ରୀୟ ଆଇନ। ଏଥିରେ ରାଜ୍ୟ ସରକାର କୌଣସି ପ୍ରକାର ପରିବର୍ତ୍ତନ କରିପାରିବେ ନାହିଁ। ମାତ୍ର କୋଟ୍ପାକୁ ଆଧାର କରି ରାଜ୍ୟ ସରକାର ନିଜସ୍ବ ଏକ ସଂଶୋଧିତ ଆଇନ ଆଣିବା ଲାଗି ପ୍ରସ୍ତୁତ ହେଉଛନ୍ତି। ଦେଶର କେଉଁ କେଉଁ ରାଜ୍ୟ ସରକାର ଏଭଳି ସଂଶୋଧିତ ଆଇନ ପ୍ରଣୟନ କରିଛନ୍ତି ତାହା ଉପରେ ବିଶ୍ଳେଷଣ ଆରମ୍ଭ ହୋଇଛି। କଟକରେ ଥିବା ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଜନସ୍ବାସ୍ଥ୍ୟ ଆଇନ ସଂପର୍କିତ ପାଠ୍ୟକ୍ରମ ରହିଛି। ତେଣୁ ଏହି ପାଠ୍ୟକ୍ରମର ବିଶେଷଜ୍ଞମାନଙ୍କୁ କମିଟିରେ ସାମିଲ କରିବା ଲାଗି ନିକଟରେ ରାଜ୍ୟରେ ତମାଖୁ ନିୟନ୍ତ୍ରଣ ପାଇଁ ଗଠିତ ୱାର୍କିଂ ଗ୍ରୁପ୍ର ବୈଠକରେ ଆଲୋଚନା କରାଯାଇଛି।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..