Report Card Odisha

| Daily Odia News

୧୦ ବୃହତ୍‌ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରି…..

ରିପୋର୍ଟ କାର୍ଡ / ଭୁବନେଶ୍ବର

‘ଜଳ ଜୀବନ ମିସନ୍’ ଯୋଜନାରେ ୧୦ଟି ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। କୋରାପୁଟ, ନବରଙ୍ଗପୁର, କଟକ ଓ ବଲାଙ୍ଗୀର ଜିଲ୍ଲାରେ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବ। ୨୪ ମାସ ଭିତରେ ସବୁଗୁଡ଼ିକ ପ୍ରକଳ୍ପର କାମ ଶେଷ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ବଲାଙ୍ଗୀର ଜିଲ୍ଲାରେ ମୋଟ୍‌ ୬ଟି ପାନୀୟ ଜଳଯୋଗାଣ ପ୍ରକଳ୍ପ କରାଯିବ। ଏଥିରେ ୮ଟି ବ୍ଲକ୍‌ର ୬୭ଟି ଗ୍ରାମପଞ୍ଚାୟତର ୩୬୧ଟି ଗ୍ରାମର ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। ତୁରେଇକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ୍‌ରେ ହେବାକୁ ଥିବା ଦୁଇଟି ପ୍ରକଳ୍ପ ପାଇଁ ହାଇଦ୍ରାବାଦର ମେଘା ଇଞ୍ଜିନିୟରିଂ ସଂସ୍ଥା ଯୋଗ୍ୟ ବିବେଚିତ ହୋଇଛି। ଏଥିପାଇଁ ଖର୍ଚ୍ଚ ହେବ ୨୦୫ କୋଟି ୩୧ ଲକ୍ଷ ଟଙ୍କା। ସେହିପରି ବଲାଙ୍ଗୀର, ପୁଇଁତଳା, ଅଗଲପୁର, ଲୋଇସିଂହା ଓ ଦେଓଗାଁ ବ୍ଲକ୍‌ରେ ହେବାକୁ ଥିବା ୪ଟି ପ୍ରକଳ୍ପ ପାଇଁ ହାଇଦ୍ରାବାଦର ଏନ୍‌ସିସି ଲିମିଟେଡ୍‌ ଯୋଗ୍ୟ ବିବେଚିତ ହୋଇଛି। ଏହି ଚାରିଟି ପ୍ରକଳ୍ପରେ ପାଖାପାଖି ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ। କୋରାପୁଟ ଓ ନବରଙ୍ଗପୁରରେ ହେବାକୁ ଥିବା ତିନିଟି ପ୍ରକଳ୍ପରେ ୪ଟି ବ୍ଲକ୍‌ ଅଧୀନରେ ଥିବା ୫୨ଟି ପଞ୍ଚାୟତର ୩୭୫ଟି ଗ୍ରାମର ଲୋକ ନିରାପଦ ପାନୀୟ ଜଳ ପାଇବେ। ଏହି ବ୍ଲକ୍‌ଗୁଡ଼ିକ ହେଲା କୋରାପୁଟର ଲମତାପୁଟ ଓ କୋରାପୁଟ, ନବରଙ୍ଗପୁରର ଡାବୁଗାଁ ଓ ଝରିଗାଁ। ଠିକା ସଂସ୍ଥା ଏଲ୍‌ ଆଣ୍ଡ୍‌ ଟି ୪୭୯ କୋଟି ୫୦ ଲକ୍ଷ ଟଙ୍କାରେ ଏହି କାମ କରିବା ପାଇଁ ଟେଣ୍ଡର୍‌ରେ ଯୋଗ୍ୟ ବିବେଚିତ ହୋଇଛି। କଟକ ଜିଲ୍ଲାରେ ହେବାକୁ ଥିବା ପ୍ରକଳ୍ପରେ ଟାଙ୍ଗୀ-ଚୌଦ୍ବାର ବ୍ଲକ୍‌ ଅଧୀନରେ ଥିବା ୨୩ଟି ପଞ୍ଚାୟତର ୧୪୯ଟି ଗ୍ରାମର ଲୋକ ଉପକୃତ ହେବେ। ପ୍ରକଳ୍ପ ପାଇଁ ୧୫୩ କୋଟି ୫୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି କାମ ପାଇଁ ଠିକା ସଂସ୍ଥା ଅହମଦାବାଦର ଦୀନେଶଚନ୍ଦ୍ର ଆର୍‌ ଅଗ୍ରୱାଲ ଇନ୍‌ଫ୍ରାକନ୍‌ ଓ ଭୁଗାନ୍ ଇନ୍‌ଫ୍ରାକନ୍‌ ଯୁଗ୍ମ ଭାବେ ଯୋଗ୍ୟ ବିବେଚିତ ହୋଇଛନ୍ତି। କୃଷକ ଉତ୍ପାଦନ ସଂଗଠନ ଯୋଜନାକୁ ସହାୟତା ନିମନ୍ତେ ପାଣ୍ଠି ବ୍ୟବସ୍ଥା ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିଛି। ରାଜ୍ୟ ଯୋଜନା ଅନ୍ତର୍ଭୁକ୍ତ କୃଷକ ସଂଗଠନକୁ ସହାୟତା ନିମନ୍ତେ ରାଜ୍ୟ ସରକାର ୨୦୨୩-୨୪ରୁ ୨୦୨୭-୨୮ ମଧ୍ୟରେ ୩୧୩.୬୧ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରିଛନ୍ତି।

Breaking News