ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୪ ନିର୍ବାଚନ ପୂର୍ବରୁ କ୍ଷମତାସୀନ ବିଜେପି ବିରୋଧରେ ବିରୋଧୀ ଦଳ ଏକାଠି ହେବାକୁ ପୁଣିଥରେ ଅଣ୍ଟା ଭିଡ଼ିଛନ୍ତି। ଆଜି ଦିଲ୍ଲୀରେ ବୈଠକ କରିଛନ୍ତି କଂଗ୍ରେସ, ଜନତା ଦଳ (ୟୁନାଇଟେଡ) ଓ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ଟପ ନେତା। ଏହି ୩ ପ୍ରମୁଖ ଦଳ ଏକାଠି ବୈଠକ କରିଥିବା ବେଳେ କଂଗ୍ରେସ ଏହାକୁ ଐତିହାସିକ ପଦକ୍ଷେପ ବୋଲି କହିଛି। ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିହାର ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ଅଧ୍ୟକ୍ଷ ତେଜସ୍ୱୀ ଯାଦବ, ଜେଡିୟୁର ସଭାପତି ରାଜୀବ ରଞ୍ଜନ, ଆରଜେଡିର ରାଜ୍ୟସଭା ସାଂସଦ ମନୋଜ କୁମାର ଓ କଂଗ୍ରେସ ନେତା ସଲମାନ ଖୁର୍ସିଦ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପୂର୍ବରୁ ନୀତୀଶ କୁମାର ମଙ୍ଗଳବାର ଆରଜେଡିର ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବଙ୍କ ସହ ବୈଠକ କରିଥିଲେ। ଆଜିର ବୈଠକର ପରେ ଖଡଗେ କହିଛନ୍ତି, “ଏହା ଏକ ଐତିହାସିକ ବୈଠକ ଥିଲା। ଆଗାମୀ ନିର୍ବାଚନଗୁଡ଼ିକରେ ସବୁ ବିରୋଧୀଙ୍କୁ ଏକାଠି କରିବା ଏହି ବୈଠକର ଲକ୍ଷ୍ୟ।” ରାହୁଲ ଗାନ୍ଧି କହିଛନ୍ତି, “ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ ଗୋଟିଏ ଐତିହାସିକ ପଦକ୍ଷେପ ନିଆଯାଇଛି। ଏହା ଏକ ପ୍ରକ୍ରିୟା। ଦେଶ ପାଇଁ ବିରୋଧୀଙ୍କ ଆଭିମୁଖ୍ୟଙ୍କୁ ଏହା ବିକଶିତ କରିବ।” ବିରୋଧୀଙ୍କୁ ଏକାଠି କରିବାକୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଆସିଥିବା ନୀତୀଶ କୁମାର କହିଛନ୍ତି ଯେ ଅଧିକରୁ ଅଧିକ ଦଳକୁ ଏକାଠି କରିବା ଓ ଏକାଠି କରିବା ପାଇଁ ଉଦ୍ୟମ କରାଯାଉଛି। କଂଗ୍ରେସ ଅଧ୍ୟକ୍ଷ ଖଡଗେ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଯେ “ଆମେ ସମ୍ବିଧାନକୁ ସୁରକ୍ଷା ଦେବୁ ଓ ଦେଶକୁ ବଞ୍ଚାଇବୁ। ବିରୋଧୀ ଦଳଗୁଡ଼ିକ ଲୋକଙ୍କ ସ୍ୱର ଉଠାଇବେ ଓ ଦେଶକୁ ଗୋଟିଏ ନୂତନ ଦିବ ଦେବାକୁ ପ୍ରତିଶ୍ରୁତିବଦ୍ଧ।” ଖଡଗେ ବିରୋଧୀ ମେଣ୍ଟ ସମ୍ପର୍କରେ ଡିଏମକେ ସଭାପତି ତଥା ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ମଧ୍ୟ କଥା ହୋଇଛନ୍ତି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..