ରିପୋର୍ଟ କାର୍ଡ / ଭୁବନେଶ୍ୱର
ନକଲି ପ୍ରମାଣପତ୍ର ମାମଲାରେ ସରକାର ସତର୍କ ଦୃଷ୍ଟି ରଖିଛନ୍ତି ।ଏହି ଘଟଣାର ଖୋଳତାଡ଼ ଜାରି ରହିଛି | ପାଖାପାଖି ୧୫୦ରୁ ଅଧିକ ଶିକ୍ଷକଙ୍କୁ ବହିଷ୍କାର କରାଯାଇଛି। ଏତଲା ମଧ୍ୟ ଦିଆଯାଇଛି, ମୟୂରଭଞ୍ଜରେ ମାମଲା ରୁଜୁ ହୋଇ କେତେକ ଗିରଫ ହୋଇଛନ୍ତି । ଏହାଏକ ନିରନ୍ତର ପ୍ରକ୍ରିୟା ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମଣ୍ଡଳ ଶିକ୍ଷା ଅଧିକାରୀ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ୭ ଦିନ ଭିତରେ ନିଜ ଅଞ୍ଚଳର ନକଲି ପ୍ରମାଣପତ୍ରଧାରୀଙ୍କ ସମ୍ପର୍କରେ ବିବରଣୀ ପ୍ରସ୍ତୁତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି। ପ୍ରମାଣପତ୍ର ଅସଲି କିମ୍ବା ନକଲି ତାହା ସ୍ପଷ୍ଟ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାର ବିଶ୍ବବିଦ୍ୟାଳୟକୁ ଚିଠି କରାଯାଉଛି। ସ୍ବତନ୍ତ୍ର ଦଳ ଗଠନ ପାଇଁ କିଛି ଆବଶ୍ୟକତା ଆସିନି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି। ଅନ୍ୟପକ୍ଷରେ ଖରାକୁ ଦେଖି ଏପ୍ରିଲ ୧୬ ପରେ ବିଦ୍ୟାଳୟ ଖୋଲିବ କି ଛୁଟି ରହିବ; ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ରାଜ୍ୟ ସରକାର ଓ ରାଜସ୍ବ ବିଭାଗ ଯାହା ନିଷ୍ପତ୍ତି ନେବ, ତାକୁ ସବୁ ବିଭାଗ କାର୍ଯ୍ୟକାରୀ କରିବେ। ସେହିପରି ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତ ହେବା ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କରନ୍ତି। ଏହାଦ୍ବାରା ଶିକ୍ଷା କ୍ଷେତ୍ରରେ ଅଧିକ ମନୋନିବେଶ ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀ ଉତ୍ସାହିତ ହେବେ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..