ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜିଠାରୁ ପାଗର ପରିବର୍ତ୍ତନ ହେବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତାକାଲିଠାରୁ ୧୮ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଝାରସୁଗୁଡ଼ା ଜିଲ୍ଲାରେ କାଳେବୈଶାଖୀ ଜାରି ରହିବ । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ୨୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ରେକର୍ଡ କରାଯାଇଛି । ତେବେ ଗତକାଲି ୪୪ ଡିଗ୍ରୀ ତାପମାତ୍ରା ସହ ବାରିପଦା ବିଶ୍ୱର ଦଶମ ଉତ୍ତପ୍ତ ସହର ମଧ୍ୟରେ ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି, ଯେଉଁ ଶୁଷ୍କ ପବନ ପ୍ରବାହିତ ହେଉଥିଲା ତା’ର ଦିଗରେ ଧୀରେ ଧୀରେ ପରିବର୍ତ୍ତନ ହେଉଛି। ତା’ଛଡ଼ା ଗୁରୁଚାପ ବଳୟ, ଯାହା ବଙ୍ଗୋପସାଗରର ଦକ୍ଷିଣକୁ ଥିଲା ତାହା ଧୀରେ ଧୀରେ ଓଡ଼ିଶା ମୁହାଁ ହୋଇଛି। ଫଳରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଯେଉଁ ଶୁଷ୍କ ବାୟୁ ପ୍ରବାହିତ ହେଉଥିଲା, ତା’ର ପ୍ରଭାବ ଧୀରେ ଧୀରେ କମିବ। ତା’ସହିତ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଆସିବ। ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ର ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଛି। ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଆସିଲେ ଏହି ତାପମାତ୍ରା ପ୍ରଭାବରେ ଆସି ବର୍ଷା ହେବ। ୧୬ ତାରିଖ ଠାରୁ ବର୍ଷାର ପ୍ରକୋପ ସାମାନ୍ୟ ବୃଦ୍ଧି ପାଇବ। ୧୭ ଓ ୧୮ ତାରିଖରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..