Report Card Odisha

| Daily Odia News

ଶଙ୍ଖ ଭବନ ଲୋକାର୍ପଣ କରି ଅକ୍ଷିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଅକ୍ଷୟ ତୃତୀୟା ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ଠାରେ ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାକୁ ଭଲ ପାଉଥିବା ଓଡିଶାର ବିକାଶ ପାଇଁ, ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ତଥା ଏକ ନୂଆ ଓଡିଶା ଓ ସଶକ୍ତ ଓଡିଶା ଗଠନ ପାଇଁ କାମ କରିବାକୁ ଆଗ୍ରହୀ ସମସ୍ତଙ୍କର ମିଳନସ୍ଥଳୀ ହେବ ଶଙ୍ଖ ଭବନ। ଏହା ହେବ ସାଢେ ଚାରିକୋଟି ଓଡିଆଙ୍କ ପ୍ରିୟ ଭବନ। ଶଙ୍ଖ ଭବନର ସବୁ କାର୍ଯ୍ୟକ୍ରମ ଓଡିଶାବାସୀଙ୍କ ସେବାରେ ସମର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୧୯୯୭ ଥିଲା, ଓଡିଶା ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ। ବିଜୁ ବାବୁଙ୍କ ଆଦର୍ଶ, ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ର ନେଇ ବିଜୁ ଜନତା ଦଳ ଜନ୍ମ ନେଇଥିଲା। ଆଞ୍ଚଳିକ ଦଳ ଭାବରେ ଓଡିଶାବାସୀଙ୍କ ସେବାରେ ରହି ସେଦିନର ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଯାଇଛି। ବିଜୟର ଶୁଭଶଙ୍ଖ ବାଜି ଚାଲିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଶଙ୍ଖ ଭବନ ଓଡିଶାର ଅତୀତ ସହ ଏହା ଭବିଷ୍ୟତକୁ ଯୋଡିବ। ସାଢେ ଚାରି କୋଟି ଓଡଶାବାସୀକୁ ଏକାଠି କରିବ। ଓଡିଶାର ବିକାଶ ପାଇଁ ସମର୍ପିତ ହେବ। ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ସମର୍ପିତ ହେବ। ଓଡିଶାର କଳା, ସାହିତ୍ୟ, ସଂସ୍କୃତିର ବିକାଶ ପାଇଁ ସମର୍ପିତ ହେବ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଶଙ୍ଖ ଭବନ କେବଳ ଆମର ଭୌତିକ, ସାମାଜିକ, ଅର୍ଥନୈତିକ ସାଂସ୍କୃତିକ ଓ ରାଜନୈତିକ ଉନ୍ନତି ପାଇଁ ପ୍ରେରଣାର କେନ୍ଦ୍ର ହେବ ନାହିଁ, ଏହା ଜଗନ୍ନାଥ ସଂସ୍କୃତିର ମୂଳତତ୍ତ୍ଵ ଆଧାରରେ ଆମର ଆଧ୍ୟାତ୍ମିକ ଉତ୍ତରଣର କେନ୍ଦ୍ର ମଧ୍ୟ ହେବ। ଏହାସହିତ ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ଓୟୁଏଟି ପରିସରରେ ରାଜ୍ୟସ୍ତରୀୟ ଉତ୍ସବରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି। ଅକ୍ଷୟ ତୃତୀୟ ଦିନ ଚାଷୀକୁଳ ଅକ୍ଷିମୁଠି ଅନୁକୂଳ କରିଥାନ୍ତି। ମୁଖ୍ୟମନ୍ତ୍ରୀ ଅଖିମୁଠି ଅନୁକୂଳ କରି ରାଜ୍ୟର କୃଷକ ଭାଇ ଭଉଣୀ ମାନଙ୍କୁ ଶୁଭେଛା ଜଣାଇଥିଲେ | ପରେ ମୁଖ୍ୟମନ୍ତ୍ରୀ ଲୋକ ସେବା ଭବନ ଆସି ସେଠାରେ ମିଲଟ ଶକ୍ତି କାଫେ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘କୃଷି ସମୀକ୍ଷା କେନ୍ଦ୍ର’ ଉଦଘାଟନ କରିଛନ୍ତି। ରାଜ୍ୟ କୃଷି ଭବନରେ ଏହି କେନ୍ଦ୍ର ଏକ ‘central command and control system ‘ ଭାବେ କାର୍ଯ୍ୟ କରିବ। କମ୍ପ୍ୟୁଟର ଓ ସୂଚନା ପ୍ରଯୁକ୍ତିର ପ୍ରୟୋଗରେ ଏଠାରେ ଏହା କ୍ଷେତ୍ର ସ୍ତରରୁ ବିଭିନ୍ନ ସୂଚନା ବାସ୍ତବ ସମୟରେ ହାସଲ କରି ନିଷ୍ପତ୍ତି ନେବାରେ ସହାୟତା କରି ପାରିବ। ବିଭିନ୍ନ ଯୋଜନାର ସଫଳ ରୂପାୟନରେ ଏବଂ ଚାଷୀଙ୍କୁ ସହାୟତା କରିବାରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

Breaking News