Report Card Odisha

| Daily Odia News

ଗୁଜରାଟ ହାଇକୋର୍ଟ ଗଲେ ରାହୁଲ ଗାନ୍ଧି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ନେତା ରାହୁଲ ଗାନ୍ଧି ଅପରାଧିକ ମାନହାନି ମାମଲାରେ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବା ପାଇଁ ଗୁଜରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ରାହୁଲ ତାଙ୍କ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବାପାଇଁ ଗୁଜରାଟ ହାଇକୋର୍ଟରେ ଆବେଦନ କରିଛନ୍ତି ବୋଲି ତାଙ୍କ ଓକିଲ ତରନ୍ନୁମ ଚିମା ଆଜି ସ୍ପଷ୍ଟ କରିଛନ୍ତି। ଜଣିକିଆ ଖଣ୍ଡପୀଠ ରାହୁଲଙ୍କ ଆବେଦନର ଶୁଣାଣି କରିବେ। ଉଲ୍ଲେଖଯୋଗ୍ୟ, ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ସୁରଟ ମାଜିଷ୍ଟ୍ରେଟ୍‌ କୋର୍ଟ ରାହୁଲଙ୍କୁ ଦୋଷୀସାବ୍ୟସ୍ତ କରି ୨ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ରାହୁଲ ତାଙ୍କ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବାପାଇଁ ସେସନ୍ସ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସେସନ୍ସ କୋର୍ଟ ରାହୁଲଙ୍କ ଏହି ଆବେଦନ ଖାରଜ କରିଦେବାପରେ ରାହୁଲ ଗୁଜରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେସନ୍ସ କୋର୍ଟ ରାହୁଲଙ୍କ ଆବେଦନ ଖାରଜ କରିବା ସହ କହିଥିଲେ ରାହୁଲ ଗାନ୍ଧି ସଂସଦରୁ ଅଯୋଗ୍ୟ ଘୋଷିତ ହେବାଦ୍ବାରା ତାଙ୍କର କୌଣସି ଅପୁରଣୀୟ କ୍ଷତି ହେବନାହିଁ। ତେଣୁ କୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବାକୁ ମନା କରିଦେଇଥିଲେ। ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୩ ତାରିଖରେ ରାହୁଲ ଗାନ୍ଧି ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିଲେ।

Breaking News