ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦକ୍ଷିଣ ବଙ୍ଗୋପସାଗରରେ ୬ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପାଣିପାଗ ବିଭାଗ ଏନେଇ ସୂଚନା ଦେବା ପରେ ରାଜ୍ୟ ସରକାରପ୍ରସ୍ତୁତି ଆରମ୍ଭ କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ସବୁ ବିଭାଗକୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର୍ ସତ୍ୟବ୍ରତ ସାହୁ। ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ପ୍ରସ୍ତୁତ। ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ସମୀକ୍ଷା କରି ସାରିଛନ୍ତି। ତେବେ ସାଧାରଣତଃ ଗ୍ରୀଷ୍ମକାଳୀନ ବାତ୍ୟା ଏପ୍ରିଲ କିମ୍ବା ମେ ମାସରେ ଆସିଥାଏ। ଯାହାର ଅନୁମାନ ଲଗାଇବା କଷ୍ଟକର ହୋଇଥାଏ। ତେବେ ଯଦି ଲଘୁଚାପ ବାତ୍ୟାର ରୂପ ନିଏ ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି। ଏଥିପାଇଁ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଖାଲି ସେତିକି ନୁହେଁ, ଜିରୋ କାଜୁଆଲିଟି ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ। ତେଣୁ ପ୍ରତି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ଆଗୁଆ ପ୍ରସ୍ତୁତି କରିଥାନ୍ତି। ଯଦି ବାତ୍ୟା ହୁଏ ତେବେ ସରକାର ପୂରା ପ୍ରସ୍ତୁତ ଅଛନ୍ତି। ଓଡ୍ରାଫ୍, ଏନଡିଆରଏଫ୍, ଅଗ୍ନିଶମ ବାହିନୀ ସହିତ ଜରୁରୀକାଳୀନ ସେବା ପ୍ରଦାନ କରୁଥିବା ସମସ୍ତ ସଂସ୍ଥାକୁ ମଧ୍ୟ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଅନ୍ୟପଟେ ଏହି ଲଘୁଚାପ ସମ୍ପର୍କରେ ଟିକନିକ୍ ଖବର ରଖିବା ପାଇଁ ଗତକାଲିଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସେବା ଆରମ୍ଭ ହୋଇଛି। ୨୪ ଘଣ୍ଟା ଅଫିସରମାନେ ଏହି କଣ୍ଟୋଲ ରୁମରେ ରହିବା ସହିତ ପ୍ରତିଟି ସୂଚନା ରଖିବେ। ତା ସହିତ ଜିଲ୍ଲାପାଳଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବା ସହିତ ଆବଶ୍ୟକସ୍ଥଳରେ ସ୍କୁଲ ଗୃହକୁ ମଧ୍ୟ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦିଆଯାଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……