ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପୂର୍ତ୍ତ ବିଭାଗର କାର୍ଯ୍ୟକ୍ରମଗୁଡ଼ିକ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ୍ କହିଛନ୍ତି, ବ୍ରହ୍ମପୁରଠାରୁ ଜୟପୁର ପର୍ଯ୍ୟନ୍ତ ୩୧୮ କିଲୋମିଟର ପ୍ରସ୍ତାବିତ ବିଜୁ ଏକ୍ସପ୍ରେସ ୱେ-୨ ରାସ୍ତା କାର୍ଯ୍ୟ ହାତକୁ ନିଆଯାଇଛି। ସେହିଭଳି ଓଡ଼ିଶାର ଉତ୍ତରରୁ ଦକ୍ଷିଣକୁ ସଂଯୋଗ କରୁଥିବା ରାଉରକେଲାଠାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ୍ ୱେ କାର୍ଯ୍ୟ ଶେଷ ହୋଇଛି। ସେ କହିଛନ୍ତି, ରାଜ୍ୟର ୧୨ଟି ପ୍ରମୁଖ ପର୍ଯ୍ୟଟନସ୍ଥଳିଗୁଡ଼ିକୁ ୨ ଲେନ୍ ରାସ୍ତା ଦ୍ୱାରା ସଂଯୋଗ କରାଯାଇଛି। ଏହାବ୍ୟତୀତ ଆଉ ୫ଟି ପର୍ଯ୍ୟଟନସ୍ଥଳିକୁ ମାର୍ଚ୍ଚ ୨୦୨୪ ସୁଦ୍ଧା ଦୁଇଲେନ୍ ବିଶିଷ୍ଟ କରାଯିବ। ମଲ୍ଲିକ୍ କହିଛନ୍ତି, ବିଗତ ଦୁଇ ଦଶନ୍ଧୀ ମଧ୍ୟରେ ପୂର୍ତ୍ତ ବିଭାଗର ରାସ୍ତା ୧୪ ହଜାର ୪୧ କିଲୋମିଟରରୁ ୩୧ ହଜାର ୩୧୭ କିଲୋମିଟରକୁ ବୃଦ୍ଧି ପାଇଛି। ରାଜ୍ୟର ପ୍ରମୁଖ ରାସ୍ତାରେ ୫୦ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ କରାଯାଇଛି । ମିଶନଶକ୍ତି ବିଭାଗ, ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏହି କେନ୍ଦ୍ରଗୁଡ଼ିକୁ ପରିଚାଳନା କରାଯିବ। ଏ ଦିଗରେ ଏହା ଦେଶର ପ୍ରଥମ ମଡେଲ ଭାବେ ପରିଗଣିତ ହେବ ବୋଲି ସେ କହିଛନ୍ତି। ମନ୍ତ୍ରୀ ଶ୍ରୀ ମଲ୍ଲିକ୍ କହିଛନ୍ତି, ଭଦ୍ରକ, ବ୍ରହ୍ମପୁର, ବାରିପଦା, ବାଲେଶ୍ୱର, ଭବାନୀପାଟଣା, ବଲାଙ୍ଗିର, ବରଗଡ଼, କଟକ, ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ନୂତନ ରିଂରୋଡ୍ ନିର୍ମାଣ ପାଇଁ ଯୋଜନା କରାଯାଇଛି। ସେ କହିଛନ୍ତି, କଳାହାଣ୍ଡି, କେନ୍ଦୁଝର ଓ ପୁରୀଠାରେ ମେଡିକାଲ କଲେଜ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ଆସନ୍ତା ଡିସେମ୍ବର ସୁଦ୍ଧା ଆଉ ଦୁଇଟି ମେଡିକାଲ କଲେଜ୍ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ବିଭାଗ ପକ୍ଷରୁ କୁହାଯାଇଛି, ୪୯ ସମ୍ପ୍ରଦାୟ ପରିଚାଳିତ ଇକୋ-ଟୁରିଜିମ୍ ସାଇଟ୍ଗୁଡ଼ିକ ବିକଶିତ ଏବଂ କାର୍ଯ୍ୟକ୍ଷମ ହୋଇଛି। ସେହିଭଳି ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ନବୀକରଣ କରାଯାଇଛି। ଚନ୍ଦକା ଓ ଭରତପୁର ଅଭୟାରଣ୍ୟର ପ୍ରାକୃତିକ ଉଦ୍ୟାନଗୁଡ଼ିକ ବିକଶିତ ହୋଇଛି। ସୂଚନା ଅନୁସାରେ, ୨୦୧୯ ରୁ ୨୦୨୧ ମଧ୍ୟରେ ରାଜ୍ୟରେ ୮୯୩ ବର୍ଗ କିଲୋମିଟର ଜଙ୍ଗଲ ଓ ବୃକ୍ଷର ଆବରଣ ବୃଦ୍ଧି ପାଇଛି। ଯାହା ଦେଶରେ ସର୍ବୋଚ୍ଚ ଅଟେ। ଦେଶରେ ସର୍ବାଧିକ ହେନ୍ତାଳ ବଣ ସୃଷ୍ଟି କରିବାରେ ଓଡ଼ିଶା ରେକର୍ଡ ସ୍ଥାପନ କରିଛି। ସେହିଭଳି ମନୁଷ୍ୟ- ବନ୍ୟପ୍ରାଣୀଙ୍କ ସଂଘର୍ଷଜନିତ ଅନୁକମ୍ପାରାଶି ବୃଦ୍ଧି ପାଇଛି। କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ମଧ୍ୟ ମିଳୁଥିବା ସହାୟତାରାଶି ବୃଦ୍ଧି କରାଯାଇଛି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..