Report Card Odisha

| Daily Odia News

ମୋଦୀ ତଥାପି ଅପ୍ରତିଦ୍ବନ୍ଦ୍ବୀ,ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ବୃଦ୍ଧି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକନୀତି-ସେଣ୍ଟର ଫର୍ ଦ ଷ୍ଟଡି ଅଫ୍ ଡେଭ୍‌ଲପିଂ ସୋସାଇଟିଜ୍ (ସିଏସ୍‌ଡିଏସ୍‌)ର ସହଯୋଗରେ ଏନ୍‌ଡିଟିଭି ଦ୍ବାରା କରାଯାଇଥିବା ଏକ ସ୍ବତନ୍ତ୍ର ଜନମତ ସର୍ଭେରୁ ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦୀ ସର୍ବାଧିକ ସଂଖ୍ୟକ ଭାରତୀୟଙ୍କର ପ୍ରଥମ ପସନ୍ଦ। ଏହି ସର୍ଭେ ଅନୁଯାୟୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ଲୋକପ୍ରିୟତା ବଢ଼ୁଥିଲେ ମଧ୍ୟ ମୋଦୀ ତଥାପି ଅପ୍ରତିଦ୍ବନ୍ଦ୍ବୀ ରହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାରେ ରହିବାର ଚଳିତ ମାସରେ ୯ ବର୍ଷ ପୂରଣ ହେଉଥିବା ଏବଂ ଆସନ୍ତାବର୍ଷ ଲୋକସଭା ନିର୍ବାଚନ ହେବାକୁ ଥିବା ପରିପ୍ରେକ୍ଷୀରେ ଏହି ଜନମତ ସର୍ଭେ କରାଯାଇଥିଲା। ସଦ୍ୟ କର୍ଣ୍ଣାଟକ ନିର୍ବାଚନରେ ବିଜେପି କଂଗ୍ରେସଠାରୁ ହାରିବା ପରେପରେ ମେ ୧୦ରୁ ୧୯ ଭିତରେ ୧୯ଟି ରାଜ୍ୟରେ ଏହି ସର୍ବେକ୍ଷଣ କରାଯାଇଥିଲା। କର୍ଣ୍ଣାଟକରେ ହାରିବା ସତ୍ତ୍ବେ ବିଜେପି ପାଇଁ ସୁସମ୍ବାଦ ହେଉଛି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ଅକ୍ଷୁଣ୍ଣ ରହିଛି ଏବଂ ଦଳର ଭୋଟ ସେୟାର ମଧ୍ୟ ସ୍ଥିର ରହିଛି। ପ୍ରାୟ ୪୩ ପ୍ରତିଶତ ଲୋକ କହିଥିଲେ ଯେ, ବିଜେପି-ନେତୃତ୍ବାଧୀନ ଏନ୍‌ଡିଏ ଦେଶରେ ତୃତୀୟ ପାଳି ପାଇଁ ସରକାର ଗଠନ କରୁ ବୋଲି ସେମାନେ ଚାହାନ୍ତି। ୩୮ ପ୍ରତିଶତ ଲୋକ ଏଥିରେ ସମ୍ମତ ହୋଇ ନ ଥିଲେ। ଆଜି ଯଦି ନିର୍ବାଚନ ହୁଏ, ତେବେ ୪୦ ପ୍ରତିଶତ ଲୋକ ବିଜେପିକୁ ଭୋଟ ଦେବେ ବୋଲି କହିଥିଲେ। କଂଗ୍ରେସକୁ ୨୯ ପ୍ରତିଶତ ଲୋକ ଭୋଟ ଦେବେ ବୋଲି କହିଥିଲେ। ବିଜେପିର ଭୋଟ ଭାଗ ୨୦୧୯ରେ ଥିବା ୩୭ ପ୍ରତିଶତ ଅପେକ୍ଷା ୨୦୨୩ରେ ୩୯ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି କଂଗ୍ରେସର ଭୋଟ ଭାଗ ୨୦୧୯ରେ ଥିବା ୧୯ ପ୍ରତିଶତରୁ ୨୦୨୩ରେ ୨୯ ପ୍ରତିଶତକୁ ବୃଦ୍ଧି ପାଇଛି। ୪୩ ପ୍ରତିଶତ ଲୋକ କହିଥିଲେ, ଯଦି ଆଜି ନିର୍ବାଚନ ହୁଏ, ତେବେ ନରେନ୍ଦ୍ର ମୋଦୀଙ୍କୁ ସେମାନେ ପୁନଶ୍ଚ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ରାହୁଲ ଗାନ୍ଧିଙ୍କୁ ଏହି ପଦ ପାଇଁ ୨୭ ପ୍ରତିଶତ ଲୋକ ପସନ୍ଦ କରିଥିଲେ। ସର୍ବୋଚ୍ଚ ପଦ ପାଇଁ ଲୋକଙ୍କ ପସନ୍ଦରେ ଅନ୍ୟ ନେତାମ‌ାନେ ବହୁତ ପଛରେ ଅଛନ୍ତି। ପ୍ରଧାନମନ୍ତ୍ରୀ ପଦ ପାଇଁ ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିୱାଲଙ୍କୁ ୪ ପ୍ରତିଶତ ଲୋକ ପସନ୍ଦ କରିଥିଲେ। ତାଙ୍କ ତଳକୁ ଅଖିଳେଶ ଯାଦବ (୩ ପ୍ରତିଶତ) ଓ ନୀତୀଶ କୁମାର (୧ ପ୍ରତିଶତ)ଙ୍କ ସ୍ଥାନ ଥିବାବେଳେ ଅନ୍ୟମାନଙ୍କୁ ୧୮ ପ୍ରତିଶତ ଲୋକ ପସନ୍ଦ କରନ୍ତି। ୨୦୧୯ ଓ ୨୦୨୩ର ଜନମତ ସର୍ଭେକୁ ତୁଳନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ସାମାନ୍ୟ (୪୪ରୁ ୪୩ ପ୍ରତିଶତକୁ) ହ୍ରାସ ପାଇଥିବା ବେଳେ ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା (୨୪ରୁ ୨୭ ପ୍ରତିଶତକୁ) ବୃଦ୍ଧି ପାଇଛି। କିନ୍ତୁ ମୋଦୀଙ୍କ ଲୋକପ୍ରିୟତା ତଥାପି ୪୦ ପ୍ରତିଶତ ଉପରେ ରହିଛି।

Breaking News