Report Card Odisha

| Daily Odia News

ସରକାରୀ କର୍ମଚାରୀଙ୍କର ହୋଇପାରିବନି ପଦୋନ୍ନତି…..

ରିପୋର୍ଟ କାର୍ଡ / କଟକ

ସରକାରୀ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ବା ଅନ୍ୟ ଫୌଜଦାରୀ ମାମଲା ଥିଲେ ତାଙ୍କର ନିୟମିତ ବା ଅସ୍ଥାୟୀ ପଦୋନ୍ନତି ହୋଇପାରିବ ନାହିଁ । ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ପୂର୍ବରୁ ହାଇକୋର୍ଟର ଜଣିକିଆ ବିଚାରପତି ଏ ସଂପର୍କିତ ମାମଲାର ଶୁଣାଣି କରି ଫୌଜଦାରୀ ମାମଲା ବିଚାରାଧୀନ ରହିଲେ ତାହା ସରକାରୀ ଅଧିକାରୀ ବା କର୍ମଚାରୀଙ୍କ ପଦୋନ୍ନତିରେ ବାଧକ ହେବ ନାହିଁ ବୋଲି ରାୟ ଦେଇଥିଲେ। ଫୌଜଦାରୀ ମାମଲା ବିଚାରାଧୀନ ଥିବା ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ପ୍ରଦାନ କରିବାକୁ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକାଧିକ ମାମଲାରେ ନିର୍ଦ୍ଦେଶ ଦେଇଥିଲେ। ଏପରି କେତେକ କର୍ମଚାରୀଙ୍କୁ ଆଡ୍ ହକ୍‌ ପଦୋନ୍ନତି ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଜଣିକିଆ ବିଚାରପତିଙ୍କ ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଥିଲେ। ଦୁଇଜଣିଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ୪୬ଟି ରିଟ୍‌ ଅପିଲର ଏକତ୍ର ଶୁଣାଣି କରି ପୂର୍ବରୁ ଜଣିକିଆ ବିଚାରପତି ପ୍ରଦାନ କରିଥିବା ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି। ଦୁଇ ଜଣିଆ ଖଣ୍ଡପୀଠଙ୍କ ରାୟରେ ଉଲ୍ଲେଖ କରାଯାଇଛି, ପଦୋନ୍ନତି ପ୍ରସଙ୍ଗ ବିଚାରାଧୀନ ଫୌଜଦାରୀ ମାମଲାର ଫଳାଫଳ ଉପରେ ନିର୍ଭର କରିବ । ଯଦି ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଥିବା ଫୌଜଦାରୀ ମାମଲାର ରାୟ ତାଙ୍କ ସପକ୍ଷରେ ଯାଏ ଓ ତାଙ୍କ ବିରୋଧରେ ରହିଥିବା ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରୁ ସେ ଦୋଷମୁକ୍ତ ହୁଅନ୍ତି ତେବେ ତାଙ୍କୁ ପଦୋନ୍ନତି ମିଳିପାରିବ । ଯଦି ଫୌଜଦାରୀ ମାମଲାର ରାୟ ପ୍ରକାଶ ବେଳକୁ ସଂପୃକ୍ତ କର୍ମଚାରୀ ଅବସର ଗ୍ରହଣ କରି ସାରିଥିବେ ତେବେ ପଦୋନ୍ନତି ସମୟର ସମସ୍ତ ପ୍ରାପ୍ୟକୁ ହିସାବକୁ ନେଇ ତାଙ୍କ ପେନସନ ଧାର୍ଯ୍ୟ କରାଯିବ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।

Breaking News