Report Card Odisha

| Daily Odia News

ବିକ୍ରି ତଥା ବିଭାଜନ କରିପାରିବେ ‘ଚକ ଜମି’……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଚକ ଜମି ବିକ୍ରି ତଥା ବିଭାଜନ କରିପାରିବେ। ଜମି ପଟ୍ଟାଗୁଡ଼ିକର ସଂଶୋଧନ ମଧ୍ୟ ହୋଇପାରିବ । ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମର ଚାପ୍ଟର-୫ର ଧାରା ୩୪ ଏବଂ ୩୫ର ଉଚ୍ଚେଦ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ କ୍ୟାବିନେଟ୍ । ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ, ୧୯୭୨ର ଧାରା ୩୪ ଅନୁସାରେ କୌଣସି ଚକଭୁକ୍ତ ଜମିର ବିଭକ୍ତିକରଣ ତଥା ବିଭାଜନ ନିଷେଧ ଥିଲା । ସେହିପରି ଧାରା ୩୫ ଅନୁସାରେ, ଯଦି ଧାରା ୩୪କୁ ଉଲଂଘନ କରି କୌଣସି ଜମି ବିକ୍ରି କିମ୍ବା ବିଭାଜିତ ହେଉଥିବ, ତାହା ଅବୈଧ ବିବେଚିତ ହେଉଥିଲା । ଏହାକୁ ଦୃଷ୍ଟିରୁ ରଖି କ୍ୟାବିନେଟ୍ ଏହି ଅଧିନିୟମର ଚାପ୍ଟର-୫ର ଧାରା ୩୪ ଏବଂ ୩୫କୁ ଉଚ୍ଚେଦ କରିବାକୁ ଅନୁମୋଦନ କରିଛନ୍ତି । ଏହି ସଂଶୋଧନ ଦ୍ୱାରା ଜମି ମାଲିକମାନେ ସେମାନଙ୍କ ଚକ ଜମି ବିଭାଜନ କରିପାରିବେ । ଜମି ପଟ୍ଟାଗୁଡ଼ିକର ସଂଶୋଧନ ମଧ୍ୟ ହୋଇପାରିବ । ଏହା ଦ୍ୱାରା ରେଜିଷ୍ଟ୍ରି ଶୁଳ୍କ ଓ ଅନ୍ୟାନ୍ୟ ରାଜସ୍ୱ ଶୁଳ୍କର ଆଦାୟ ମଧ୍ୟ ବୃଦ୍ଧି ପାଇବ ।

Breaking News