Report Card Odisha

| Daily Odia News

ଆଜି ହେରା ପଞ୍ଚମୀ…..

ରିପୋର୍ଟ କାର୍ଡ / ପୁରୀ

ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି ପାଳନ କରାଯିବ। ମହାଲକ୍ଷ୍ମୀ ଆଡପ ମଣ୍ଡପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ମଣ୍ଡପରେ ଦେଢଶୁର ଶ୍ରୀବଳଭଦ୍ର ବସିଥିବାରୁ ଗୋଟିଏ କୋଣରେ ଛିଡା ହୋଇ ଗୁପ୍ତରେ ଦର୍ଶନ କରିବେ ଲକ୍ଷ୍ମୀ ଠାକୁରାଣୀ। କାଳିଆ ଠାକୁର ତାଙ୍କୁ ସାଥିରେ ନ ନେଇ ଭାଇ ଉଉଣୀଙ୍କ ସହ ରଥଯାତ୍ରା କରିଥିବାରୁ ଅଭିମାନ କରିଛନ୍ତି ମହାଲକ୍ଷ୍ମୀ। ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ବାହୁଡିବାକୁ ପ୍ରତିଶୃତି ଦେବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ମହାଲକ୍ଷ୍ମୀଙ୍କୁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ପ୍ରଦାନ କରାଯିବ। ଶରଧାବାଲିରେ ଥିବା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଗୋଟିଏ ଚକ ଭାଙ୍ଗିବେ ମହାଲକ୍ଷ୍ମୀ। ସେବକଙ୍କ ଗହଣରେ ହେରାଗୋହରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିନରେ ହେରାପଞ୍ଚମୀ ନୀତି ପାଳନ କରାଯିବା ବିଧି ରହିଛି। ପରମ୍ପରା ଅନୁଯାୟୀ ହେରାପଞ୍ଚମୀରେ ଶ୍ରୀମନ୍ଦିର ଭଣ୍ଡାର ଘରେ ଥିବା ମହାଲକ୍ଷ୍ମୀଙ୍କୁ ମହାଜନ ସେବକ ମାଜଣା କରିବେ। ମା’ଙ୍କୁ ନୂତନ ପାଟଶାଢୀ, ସୁନା ଅଳଙ୍କାର ଏବଂ ଫୁଲରେ ବେଶ କରାଯିବ। ପୂଜାପଣ୍ଡା ପନ୍ତୀ ଭୋଗ କରିବେ। ବଟବୃକ୍ଷ ମୂଳେ ଥିବା ସୁସଜ୍ଜିତ ବିମାନରେ ଲକ୍ଷ୍ମୀ ସାଆନ୍ତାଣିଙ୍କୁ ବିଜେ କରାଯିବ। ଶୋଭାଯାତ୍ରାରେ ମହାଲକ୍ଷ୍ମୀ ବଡଦାଣ୍ଡ ଦେଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯିବେ। ପତି ମହାପାତ୍ରଙ୍କ ଦ୍ୱାରା ସେଠାରେ ମା’ଙ୍କୁ ପ୍ରସାଦ ଲାଗି କରାଯିବା ସହ ବନ୍ଦାପନା କରାଯିବ। ଚାମର ଆଲଟ, ଘଷା ବିଡିଆ ଓ ଦହି ପଟ୍ଟି ମଣୋହି କରାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟାହ୍ଣ ଧୂପ ଏବଂ ଆଳତି ପରେ ଶ୍ରୀଜଗନ୍ନାଥଙ୍କୁ ପଞ୍ଚାମୃତରେ ସ୍ନାନ କରାଯିବ। ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଜଗମୋହନ ଦ୍ୱାର ନିକଟକୁ ବିଜେ କରିବେ। ଶ୍ରୀଜୀଉଙ୍କୁ ଦର୍ଶନ ପରେ ଆଜ୍ଞାମାଳ ପ୍ରଦାନ କରାଯିବ। ନାକଚଣା ଦ୍ୱାର ଦେଇ ମହାଲକ୍ଷ୍ମୀ ଶରଧାବାଲିକୁ ଯିବେ। ନନ୍ଦିଘୋଷ ରଥ ଚକ ଭାଙ୍ଗିବା ପରେ ଶ୍ରୀମନ୍ଦିର ଫେରିବାର ନିତୀରହିଛି |

Breaking News