ରିପୋର୍ଟ କାର୍ଡ / ଭୁବନେଶ୍ୱର
୫-ଟି ଉପକ୍ରମରେ ନନ୍ଦନକାନନ କୁ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ରୂପାନ୍ତର କରାଯିବ। ଚୂଡଙ୍ଗ ଜଙ୍ଗଲ ଅଞ୍ଚଳକୁ ଏଥିରେ ସାମିଲ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ରାଜ୍ୟ ବନ ବିଭାଗ ପକ୍ଷରୁ ନନ୍ଦନକାନନର ରୂପାନ୍ତର ପାଇଁ ଏକ ଉପସ୍ଥାପନା ରଖାଯାଇଥିଲା। ଏଥିରେ ନନ୍ଦନକାନନର କାୟାରେ ପରିବର୍ତ୍ତନ ପାଇଁ ଏକ ବିସ୍ତୃତ ଓ ଭବିଷ୍ୟମୁଖୀ ପ୍ରସ୍ତାବ ରଖାଯାଇଛି। ଏ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହିତ ନନ୍ଦନକାନନରେ ପ୍ଲାଷ୍ଟିକର ବ୍ୟବହାର ସଂପୂର୍ଣ୍ଣ ନିଷେଧ କରିବା ପାଇଁ ନିର୍ଦେଶ ଦେଇଛନ୍ତି ଏବଂ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମଇ ୨୩ ତାରିଖରେ ଜଙ୍ଗଲ ବିଭାଗ ସମୀକ୍ଷା ସମୟରେ ନନ୍ଦନକାନନର ରୂପାନ୍ତର ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନୂଆ ଯୋଜନାରେ ପରିଦର୍ଶକ ମାନଙ୍କ ପାଇଁ ଅତିରିକ୍ତ ଉନ୍ନତ ସୁବିଧା, ଆଧୁନିକ ଫ୍ରଣ୍ଟେଜ ଓ ଲ୍ୟାଣ୍ଡସ୍କେପିଂ, ଟନେଲ ଆକ୍ବାରିଅମ, ୱାଟର ବାର୍ଡ ଆଭିଆରୀ ଦେଶ ବିଦେଶରୁ ନୂତନ ପ୍ରାଣୀ, ଏମର୍ସିଭ୍ ଏନକ୍ଲୋଜର ଓ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷାର ଏକ ସ୍ବତନ୍ତ୍ର ହବ୍ ଭାବରେ ବିକାଶ କରିବା ପାଇଁ ବ୍ୟବସ୍ଥା ରହିଛି | ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ରୂପାନ୍ତର କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ୨୦୨୩ ରୁ ୨୦୨୫ ଓ ଦ୍ବିତୀୟ ପର୍ଯ୍ୟାୟ ୨୦୨୫ ରୁ ୨୦୨୮ ମଧ୍ୟରେ କାର୍ଯ୍ୟକାରୀ ହେବ। ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନର ବିକାଶ ହେବାକୁ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ଚୂଡଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ । ଏଥିରେ ରାତ୍ରୀ ସଫାରୀ ଓ ସଫାରୀ କମ୍ପଲେକ୍ସର ବିକାଶ କରାଯିବ। ନନ୍ଦନକାନନକୁ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷା ଉପରେ ଏକ ଆକର୍ଷଣୀୟ ହବ୍ ଭାବରେ ବିକାଶ କରିବା ପାଇଁ ଯୋଜନା ରହିଛି । ଏଥିରେ ଆକ୍ଟିଭିଟି ଭିତ୍ତିକ ପ୍ରାଣୀ ଉଦ୍ୟାନ, ପ୍ରକୃତି ଶିକ୍ଷା ସହିତ କେତେକ ସ୍ବତନ୍ତ୍ର ସ୍କୁଲରେ ‘ନନ୍ଦନକାନନ କ୍ଲବ’ ଓ ‘ଜୁ ଆମ୍ବାସାଡର’ ଆଦି କାର୍ଯ୍ୟକ୍ରମ ରହିଛି। ଏହାସହିତ ନାଗରିକ ବିଜ୍ଞାନ, ଆପଣଙ୍କ ଗଛକୁ ଜାଣନ୍ତୁ ଆଦି ବିଭିନ୍ନ ଆକ୍ଟିଭିଟି କରାଯିବ। ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ଇଣ୍ଟର୍ନସିଭ ଓ ଜୁ ଭଲ୍ୟୁଣ୍ଟିଅର ଆଦି କାର୍ଯ୍ୟକ୍ରମ କରାଯିବ।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….