Report Card Odisha

| Daily Odia News

ଉଦ୍ଧବ ଗୋଷ୍ଠୀରେ ଯୋଗ ଦେଇପାରନ୍ତି ୧୫ ଶିବସେନା ବିଧାୟକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ର ଶାସକ ମେଣ୍ଟରେ ଏବେ ବଡ଼ ଧରଣର କନ୍ଦଳ ଆରମ୍ଭ ହୋଇଯାଇଛି। ଅଜିତ ପାୱାରଙ୍କ ନେତୃତ୍ବରେ ୮ ଜଣ ଏନ୍‌ସିପି ବିଧାୟକ ସରକାରରେ ସାମିଲ ହେବା ଘଟଣାକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିଶ୍ବସ୍ତ ନେତାମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ସେମାନେ ଏହି କାରଣ ପାଇଁ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ସିନ୍ଦେ ଗୋଷ୍ଠୀର ବିଧାୟକ ସଂଜୟ ସିର୍‌ସତ କହିଛନ୍ତି, ଆମେମାନେ ସବୁବେଳେ ଏନ୍‌ସିପିକୁ ବିରୋଧ କରୁ ଏବଂ ଆଜି ମଧ୍ୟ ଆମେ ଶରଦ ପାୱାରଙ୍କୁ ବିରୋଧ କରୁଛୁ । ଏନ୍‌ସିପି ସରକାରରେ ସାମିଲ ହେବାପରେ ଆମ ଗୋଷ୍ଠୀର ନେତାମାନେ ସେମାନଙ୍କ ଇଚ୍ଛା‌ ଅନୁଯାୟୀ ପଦବି ପାଇନପାରନ୍ତି। ଏହି କାରଣ ପାଇଁ ସେମାନେ ଅସନ୍ତୁଷ୍ଟ ଅଛନ୍ତି ବୋଲି ସେ କହିଛନ୍ତି। ସିନ୍ଦେ ସେନା ବିଧାୟକମାନେ ଏହି ବିବାଦର ସମାଧାନ ପାଇଁ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ଅନୁରୋଧ କରିଛନ୍ତି ବୋଲି ସେ କହିଛନ୍ତି। ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଥିବାବେଳେ ଏନ୍‌ସିପି ହିଁ ଅସଲରେ ସରକାର ପରିଚାଳନା କରୁଥିଲା ବୋଲି ଅସନ୍ତୁଷ୍ଟ ବିଧାୟକମାନେ କହିଛନ୍ତି। ଏବେ ଏକନାଥ ସିନ୍ଦେ ଉକ୍ତ ପ୍ରସଙ୍ଗ‌ରେ ଯଥାଶୀଘ୍ର ନିଷ୍ପତ୍ତି ନିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି। କେତେକ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସିନ୍ଦେ ଗୋଷ୍ଠୀର ପ୍ରାୟ ୧୫ ଜଣ ବିଧାୟକ ଶିବସେନା(ୟୁବିଟି) ଗୋଷ୍ଠୀରେ ଯୋଗ ଦେଇପାରନ୍ତି। ଯେଉଁମାନେ ୨୦୨୨ ଜୁନ୍‌ରେ ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ କରିଥିଲେ ସେମାନେ ଏବେ ପୁଣି ତାଙ୍କ ପାଖକୁ ଫେରିବାପାଇଁ ଚାହିଛନ୍ତି। ୨ ଜଣ ଶିବସେନା ବିଧାୟକ ନିଜର ନାଁ ପ୍ରକାଶ ନକରି ଏନେଇ ଦାବି କରିଛନ୍ତି।

Breaking News