Report Card Odisha

| Daily Odia News

୨୦୨୪ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ୩୦ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ ହେବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚଳିତ ମାସରୁ ଆଗାମୀ ୮-୯ ମାସ ପର୍ଯ୍ୟନ୍ତ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ପାଖାପାଖି ୯୦୦ କେନ୍ଦ୍ରୀୟ ପ୍ରୟୋଜିତ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ସହିତ କିଛି ପ୍ରକଳ୍ପର ଶିଳାନ୍ୟାସ କରାଯିବ। ଅଧିକାଂଶ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଶୁଭାରମ୍ଭ ଓ ଶିଳାନ୍ୟାସ କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଗତ ସୋମବାର ପ୍ରଗତି ମଇଦାନରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ବିଭିନ୍ନ ମନ୍ତ୍ରାଳୟ ପକ୍ଷରୁ ପାୱାର ପଏଣ୍ଟ ପ୍ରେଜେନଟେସନ ଜରିଆରେ ଦେଶର ବିଭିନ୍ନ ପ୍ରକଳ୍ପଗୁଡ଼ିକର ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ପୂର୍ଣ୍ଣାଙ୍ଗ ହୋଇଥିବା ଏବଂ ଅଧପନ୍ତରିଆ ଥିବା ପ୍ରକଳ୍ପ ସଂପର୍କରେ ବୈଠକରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ବୈଠକରେ ପ୍ରଧାନମନ୍ତ୍ରୀ କେନ୍ଦ୍ରମନ୍ତ୍ରୀମାନଙ୍କୁ ୨୦୨୪ ସୁଦ୍ଧା ପ୍ରକଳ୍ପଗୁଡ଼ିକୁ ସାରିବା ପାଇଁ ପରାମର୍ଶ ଦେଇଥିଲେ। ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ଅତିକମ୍‌ରେ ୩୦ଟି ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରାଯିବ। ପ୍ରଧାନମନ୍ତ୍ରୀ ନୂଆ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିବେ ଏବଂ ପୂର୍ଣ୍ଣାଙ୍ଗ ‌ହୋଇସାରିଥିବା ପ୍ରକଳ୍ପଗୁଡ଼ିକୁ ଲୋକାର୍ପିତ କରିବେ। ହେଲେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତର ତାରିଖ, ଶୁଭାରମ୍ଭ ତଥା ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପ ସଂଖ୍ୟା ସଂପର୍କରେ କୌଣସି ସୂଚନା ମିଳିପାରିନାହିଁ। ଶୁଭାରମ୍ଭ ଓ ଶିଳାନ୍ୟାସ ହେବାକୁ ଥିବା ଅଧିକାଂଶ ପ୍ରକଳ୍ପ ସଡ଼କ ପରିବହନ ଓ ରାଜମାର୍ଗ ଏବଂ ରେଳ ବିଭାଗର ବୋଲି ଜଣାପଡ଼ିଛି।

 

Breaking News