ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପଶ୍ଚିମ ଭାରତରେ ଅଧିକାଂଶ ଅଞ୍ଚଳରେ ବର୍ଷା ବିତ୍ପାତ ଜାରି ରହିଛି। ଦିଲ୍ଲୀ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଭୀଷଣ ବର୍ଷା ଯୋଗୁଁ ଲୋକେ ନାନା ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ଆଜି ସ୍କୁଲ୍ ବନ୍ଦ ରଖିବା ପାଇଁ ଦିଲ୍ଲୀ ସରକାର ଓ ନଏଡ଼ା କର୍ତ୍ତୃପକ୍ଷ ନୋଟିସ୍ ଜାରି କରିଥିବା ବେଳେ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଦୁର୍ଦ୍ଦଶା ବଢ଼ିଚାଲିଛି। ସରକାର ବର୍ଷା ବିତ୍ପାତଜନିତ ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ଜରୁରୀ ପଦକ୍ଷେପ ଗ୍ରହଣ କରୁଥିଲେ ବି ବିରୋଧୀଙ୍କ ସମାଲୋଚନାରୁ ବଞ୍ଚିପାରିନାହାନ୍ତି। ସହରର ଡ୍ରେନେଜ ସିଷ୍ଟମକୁ ନେଇ ବିରୋଧୀ ପ୍ରଶ୍ନ କରୁଥିବା ବେଳେ ଏବେ ଏହାର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। କେଜ୍ରିୱାଲ କହିଛନ୍ତି ଯେ, ଗତ କିଛି ବର୍ଷ ହେଲା ଏଭଳି ଲଗାଣ ବର୍ଷା ହୋଇନଥିଲା। ପ୍ରତିବର୍ଷ ହେଉଥିବା ବର୍ଷାର ପରିମାଣ ଦେଖି ଡ୍ରେନେଜ ସିଷ୍ଟମ ଡିଜାଇନ କରାଯାଇଥିଲା। ହେଲେ ଚଳିତ ବର୍ଷ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି। ଏଭଳି ବର୍ଷା ପାଇଁ ଦିଲ୍ଲୀ ପ୍ରସ୍ତୁତ ନଥିଲା। ଏହା ପରସ୍ପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାର ସମୟ ନୁହେଁ। ଜନସାଧାରଣଙ୍କୁ ରିଲିଫ୍ ଯୋଗାଇବା ପାଇଁ ସମସ୍ତ ପ୍ରଭାବିତ ରାଜ୍ୟଗୁଡିକର ସରକାର ମିଳିତ ଭାବେ କାର୍ଯ୍ୟ କରିବା ଜରୁରୀ। ତେବେ ଦିଲ୍ଲୀ ଏନ୍ସିଆର୍ ଏବଂ ହରିୟାଣାର ଗୁରୁଗ୍ରାମରେ ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁଗ୍ରାମରେ ପ୍ରଶାସନ ପକ୍ଷରୁ ଘରୋଇ ଏବଂ କର୍ପୋରେଟ୍ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ କରିବା ପାଇଁ ପରାମର୍ଶ ଦିଆଯାଇଛି। ଦିଲ୍ଲୀରେ ଶନିବାର ୧୨୬ ମିମି ବର୍ଷା ହୋଇଥିବା ବେଳେ ରବିବାର ସକାଳ ସାଢ଼େ ୮ଟା ସୁଦ୍ଧା ୨୪ ଘଣ୍ଟାରେ ୧୫୩ ମିମି ବର୍ଷା ରେକର୍ଡ କରାଯାଇଥିଲା। ବର୍ଷା କମ ହେଉନଥିବାରୁ ରାସ୍ତାଘାଟ, ବଜାର, ପାର୍କ, ହସ୍ପିଟାଲ ପରିସର ଆଦି ଜଳାର୍ଣ୍ଣବ ହୋଇ ରହିଛି।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..