ରିପୋର୍ଟ କାର୍ଡ / କଟକ
ଆପାର୍ଟମେଣ୍ଟରେ ଫ୍ଲାଟ କିଣାବିକା ଉପରେ ପୂର୍ବରୁ ଥିବା ରହିତାଦେଶକୁ ବଳବତ୍ତର ରଖିଛନ୍ତି ହାଇକୋର୍ଟ। ଏ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି କରି ୩ ମାସ ମଧ୍ୟରେ ଫ୍ଲାଟ ପଞ୍ଜୀକରଣ ପାଇଁ ନୂତନ ନିୟମ ଆଣିବାକୁ ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସରକାର ନୂଆ ନିୟମ ଆଣିବା ପର୍ଯ୍ୟନ୍ତ ରହିତାଦେଶ ଜାରି ରହିବ ବୋଲି ଅଦାଲତ ରାୟରେ ଦର୍ଶାଇଛନ୍ତି। ବିଚାରପତି ଶୁଭାଶିଷ ତଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠ ମାମଲାର ଅନ୍ତ ଘଟାଇବା ସହ ଏହି ରାୟ ପ୍ରକାଶ କରିଛନ୍ତି। ଓଡ଼ିଶା ରିଅଲ ଇଷ୍ଟେଟ ଅଥରିଟି ଆପାର୍ଟମେଣ୍ଟରେ ଫ୍ଲାଟ ପଞ୍ଜୀକରଣ ପାଇଁ ଜାରି ନିୟମାବଳୀକୁ ବିରୋଧ କରି ବିମଳେନ୍ଦୁ ପ୍ରଧାନଙ୍କ ସମେତ ଅନ୍ୟମାନଙ୍କ ପକ୍ଷରୁ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ଫ୍ଲାଟ ପଞ୍ଜୀକରଣ ନେଇ ସ୍ବତନ୍ତ୍ର ଆଇନ ପ୍ରଣୟନ ପାଇଁ ଆବେଦନକାରୀ ପ୍ରାର୍ଥନା କରିଥିଲେ। ‘ରେରା’ ନିୟମ ଉପରେ ଉଚ୍ଚ ନ୍ୟାୟଳୟ ରହିତାଦେଶ ଦେବା ସହ ରାଜ୍ୟ ସରକାରଙ୍କୁ ନୂଆ ଆଇନ ପ୍ରଣୟନ କରିବାକୁ ନିର୍ଦେଶ ଦେଇଥିଲେ। ପ୍ରାୟ ବର୍ଷେ ହେଲାଣି ରାଜ୍ୟ ସରକାର ନୂତନ ନିୟମାବଳୀ ପ୍ରଣୟନ କରି ନଥିବାରୁ ଫ୍ଲାଟ କିଣାବିକା ନିମନ୍ତେ ପଞ୍ଜୀକରଣ ପ୍ରକ୍ରିୟା ବନ୍ଦ ରହିଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଥିଲେ।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..