Report Card Odisha

| Daily Odia News

ପବିତ୍ର ମୋହନଙ୍କ ନାମ‌ରେ ତାଳଚେର ମେଡିକାଲ କଲେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶା ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ଓଡ଼ିଶାର ରାଜନୈତିକ ସାମାଜିକ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଳଚେର ରାଜାଙ୍କ ଅତ୍ୟାଚାର ଅନ୍ୟାୟ ବିରୋଧରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ନେତୃତ୍ୱ ନେବା ସହ ଭାରତଛାଡ଼ ଆନ୍ଦୋଳନରେ ମଧ୍ୟ ସେ ଯୋଗ ଦେଇଥିଲେ। ସ୍ୱାଧୀନତା ପରେ ସେ ବିଭିନ୍ନ ସମୟରେ ବିଧାୟକ, ସାଂସଦ, ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରି ରାଜ୍ୟର ବିକାଶରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି। ସେହି ମହାନ ସଂଗ୍ରାମୀଙ୍କ ସ୍ମୃତିକୁ ସମ୍ମାନ ଜଣାଇ ତାଙ୍କ ସ୍ମୃତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏକାଧିକ ଘୋଷଣା କରିଛନ୍ତି। ତାଳଚେରରେ ପବିତ୍ର ମୋହନ ପ୍ରଧାନ ସ୍ମୃତି ପୀଠର ବିକାଶ କରାଯିବା ସହିତ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଭୁବନେଶ୍ୱର ଠାରେ କରାଯିବ। ଏହା ସହିତ ତାଳଚେର ମେଡିକାଲ କଲେଜ ଓ ହସ୍ପିଟାଲକୁ ମଧ୍ୟ ତାଙ୍କ ନାମରେ ନାମିତ କରାଯିବ। ସେହିପରି କଣିହାଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣାଧୀନ ସେତୁକୁ ମଧ୍ୟ ସ୍ୱର୍ଗତ ପ୍ରଧାନଙ୍କ ନାମରେ ନାମିତ କରାଯିବ। ଅନୁଗୁଳ ଜିଲ୍ଲାରେ ଗୁଣାତ୍ମକ ସ୍ବାସ୍ଥ୍ୟସେବାର ବିକାଶ ପାଇଁ ତାଳଚେର ଠାରେ ନିର୍ମିତ ମେଡିକାଲ କଲେଜ ହସ୍‌ପିଟାଲକୁ ଚଳିତ ବର୍ଷ ଅକ୍ଟୋବର ମାସଠାରୁ କାର୍ଯ୍ୟକ୍ଷମ କରାଯିବ। ଏହା ସହିତ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ‘ଆମ ହସ୍‌ପିଟାଲ’ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଗତ ସୋମବାର ୫-ଟି ସଚିବ ଭି କେ ପାଣ୍ଡିଆନ୍‌ଙ୍କ ଅନୁଗୁଳ ଗସ୍ତ ସମୟରେ ଲୋକମାନେ ବିଭିନ୍ନ ପ୍ରସଙ୍ଗରେ ଅଭିଯୋଗ କରିବା ସହ ବହୁ ଦାବି ରଖିଥିଲେ। ଲୋକଙ୍କ ଅଭିଯୋଗ ଓ ପ୍ରସ୍ତାବକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଅନୁଗୁଳ ପାଇଁ ବହୁ ଘୋଷଣା କରିଛନ୍ତି। ଅନୁଗୁଳ ଜିଲ୍ଲାର ବନ୍ତଳା ଠାରେ ହାତୀ-ମଣିଷ ସଂଘର୍ଷ ଯୋଗୁ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧନସମ୍ପତ୍ତି ନଷ୍ଟ ସହିତ ଜୀବନ ହାନୀ ମଧ୍ୟ ହେଉଛି। ଲୋକଙ୍କ ଠାରୁ ଏହି ସମସ୍ୟା ଶୁଣିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ରୋକିବା ପାଇଁ ୪.୬୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଜିଲ୍ଲା ଡି.ଏଫ.ଓ.ଙ୍କ ଦ୍ବାରା ଏହି ଅର୍ଥ ଜରିଆରେ ବନ୍ତଳାର ୪୩ଟି ଗାଁରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯାଇ ଅଧିକ ସୁରକ୍ଷିତ ବ୍ୟବସ୍ଥାର ବିକାଶ କରାଯିବ।

Breaking News