Report Card Odisha

| Daily Odia News

୪୮ ଘଣ୍ଟାରେ ଆଉ ଏକ ଘୂର୍ଣ୍ଣିବଳୟ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ତେବେ ଆସନ୍ତା ୪୮ ଘଣ୍ଟାରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରୁ ରାଜ୍ୟରେ ବର୍ଷା ପରିମାଣ ବଢିବ ବୋଲି ଭୁବନେଶ୍ବରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଲଗାତାର ୨ଟି ଘୂର୍ଣ୍ଣିବଳୟ ଓ ତାହା ଫଳରେ ହୋଇଥିବା ବର୍ଷା ଯୋଗୁଁ ରାଜ୍ୟରେ ବର୍ଷା ନିଅଣ୍ଟ ପରିମାଣ ହ୍ରାସ ପାଇବା ଆରମ୍ଭ କରିଛି । ଜୁନ ୧ରୁ ଜୁଲାଇ ୧୫ ସୁଦ୍ଧା ରାଜ୍ୟରେ ବର୍ଷା ନିଅଣ୍ଟ ପରିମାଣ ୨୮ ପ୍ରତିଶତ ଥିବାବେଳେ ଗତ କିଛି ଦିନ ଧରି ହୋଇଥିବା ବର୍ଷା ଫଳରେ ତାହା ୨୩ ପ୍ରତିଶତକୁ ଖସି ଆସିଛି । ଆଗାମୀ ଦିନରେ ଏହା ଆହୁରି କମିବା ଆଶା କରାଯାଉଛି । ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍ ଅନୁସାରେ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ହଳଦିଆ ସତର୍କତା ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ସୋନପୁର, ଅନୁଗୁଳ, ଦେବଗଡ଼, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

Breaking News