ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପି ନେତୃତ୍ବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ସହଯୋଗୀ ଦଳଗୁଡିକର ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ସୋମବାର ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି ଯେ ଏନଡିଏ ବୈଠକରେ ୩୮ ଦଳ ଯୋଗଦେବାକୁ ସମ୍ମତି ପ୍ରକାଶ କରିଛନ୍ତି । ଏନଡିଏର ଅଂଶୀଦାର ଦଳଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସହ ନିଜର ସକାରାତ୍ମକ କାର୍ଯ୍ୟ ଲାଗି ଜାତୀୟ ରାଜନୀତିରେ ଅପରାଜେୟ ହୋଇ ରହିଛି । ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ଏନଡିଏ ମେଣ୍ଟକୁ କେତେକ ପୁରୁଣା ସହଯୋଗୀ ଯଥା ଚିରାଗ ପାଶ୍ବାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମବିଳାଶ), ଜିତନ ରାମ ମାନଝିଙ୍କ ହିନ୍ଦୁସ୍ତାନ ଆୱାମି ମୋର୍ଚ୍ଚା, ଉପେନ୍ଦ୍ର ଖୁସୱାହଙ୍କ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଓ ଓମ୍ ପ୍ରକାଶ ରାଜଭରଙ୍କ ସୁହେଲଦେବ ଭାରତୀୟ ସମାଜ ପାର୍ଟି ଫେରିଛନ୍ତି । ଏହି ଦଳଗୁଡିକୁ ବୈଠକକୁ ନିମନ୍ତ୍ରଣ କରାଯାଇଛି। ଏହା ବ୍ୟତୀତ ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପୱାରଙ୍କ ବିଦ୍ରୋହୀ ଏନସିପିକୁ ନିମନ୍ତ୍ରଣ କରାଯାଇଛି। ସେପଟେ ବେଙ୍ଗାଳୁରୁ ୨୦୨୪ ପାଇଁ ରଣନୀତି ଉପରେ ହେବ ଆଲୋଚନା କରିବେ ବିରୋଧୀ | ବେଙ୍ଗାଲୁରୁରେ ବିରୋଧୀ ଦଳଗୁଡ଼ିକର ମିଳିତ ବୈଠକ ସୋମବାର ଆରମ୍ଭ ହୋଇଥିଲା । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକ ମିଳିତ ବିରୋଧୀ ସାମ୍ମୁଖ୍ୟ ଗଠନ କରିବା ଉଦ୍ଦେଶ୍ୟରେ କଂଗ୍ରେସର ଆବାହକତ୍ବରେ ଏହି ବୈଠକର ଆୟୋଜନ କରାଯାଇଛି। ବିରୋଧୀ ଦଳଗୁଡ଼ିକ ଭିତରେ ବୃହତ୍ତର ସମନ୍ବୟ ଓ ଯୋଗାଯୋଗ ରକ୍ଷା ଏବଂ ସିଟ୍ ଭାଗବଣ୍ଟା ଆଦି ଉପରେ ମଙ୍ଗଳବାର ଆଲୋଚନା କରାଯିବ। କଂଗ୍ରେସ-ନେତୃତ୍ବାଧୀନ ବିରୋଧୀ ବୈଠକରେ ୨୬ଟି ଦଳ ସାମିଲ ହୋଇଥିବା ବେଳେ ବିଜେପି-ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ବୈଠକରେ ୩୮ଟି ଦଳ ଯୋଗଦେବେ ବୋଲି ବିଜେପି ଦାବି କରିଛି। ବିଜେପି ନିଜ ସମର୍ଥକ ଦଳମାନଙ୍କୁ ନେଇ ମଙ୍ଗଳବାର ଦିଲ୍ଲୀରେ ବୈଠକର ଆୟୋଜନ କରିଛି। ଉଭୟ ଦିଲ୍ଲୀ ଓ ବେଙ୍ଗାଲୁରୁ ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଉଭୟ ପକ୍ଷ ନିଜନିଜର ରଣନୀତି ପ୍ରସ୍ତୁତ କରିବେ। ଏନ୍ଡିଏର ମଙ୍ଗଳବାର ବୈଠକ ଉପରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ବିଜେପି ହତାଶ ହୋଇପଡ଼ିଛି। ଭାଗଭାଗ ହୋଇଯାଇଥିବା ଦଳର ବିଚ୍ଛିନ୍ନ ଅଂଶକୁ ନିଜ ଆଡ଼କୁ ନେଉଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜିର ବେଙ୍ଗାଲୁରୁ ବୈଠକରେ ଯୋଗ ଦେଇଛନ୍ତି। ଗତ ମାସରେ ସେ ପ୍ରଥମ ବିଜେପି-ବିରୋଧୀ ବୈଠକର ଆୟୋଜନ କରିଥିଲେ | ଆଜି ହେବାକୁ ଥିବା ଉକ୍ତ ବୈଠକରେ ଏନ୍ସିପି ମୁଖ୍ୟ ଶରଦ ପାୱାର ଯୋଗ ଦେବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଗତକାଲି ନୈଶଭୋଜି ବୈଠକରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ଏମ୍କେ ଷ୍ଟାଲିନ, ଅରବିନ୍ଦ କେଜ୍ରିୱାଲ, ନୀତୀଶ କୁମାର, ହେମନ୍ତ ସୋରେନ, ଭଗବନ୍ତ ମାନ୍, ଲାଲୁ ପ୍ରସାଦ ଯାଦବ, ମମତା ବାନାର୍ଜୀ ପ୍ରମୁଖ ଯୋଗ ଦେଇଛନ୍ତି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..