ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ସହିତ ମୌସୁମୀର ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ନିମ୍ନ ଚାପରେଖା ରାଜସ୍ଥାନର ଫଲୌଦୀରୁ ବାହାରି ପୁରୀ ମଧ୍ୟଦେଇ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ପ୍ରବଳ ବର୍ଷା ହେବା ନେଇ ୧୪ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୪୧ ପ୍ରତିଶତ ଅଧିକ ରହିଛି । ଚଳିତ ମୌସୁମୀ ଋତୁରେ ଗତ ଜୁନ୍ ପହିଲାରୁ ଆଜି ମଧ୍ୟରେ ହାରାହାରି ୩୪୬.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହା ସ୍ୱାଭାବିକ ବର୍ଷା ୪୦୫.୫ ମିଲିମିଟର ତୁଳନାରେ ୧୫ ପ୍ରତିଶତ କମ୍ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୫୮୧.୫ ମିମି ସହ ସ୍ୱାଭାବିକ ବର୍ଷା ତୁଳନାରେ ୩୮% ଅଧିକ ରହିଛି । ସେହିପରି ନବରଙ୍ଗପୁର ଜିଲ୍ଲାରେ ସବୁଠାରୁ ୨୪୯.୪ ମିମି ସହ ୪୯% କମ ବର୍ଷା ରେକର୍ଡ କରାଯାଇଛି ।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..