ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରାଇ ରାସ୍ତାରେ ଚଲାଯିବା ଭିଡିଓ ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମ୍ କୋର୍ଟ | କହିଛନ୍ତି କି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଘଟଣା ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି, ସାମ୍ପ୍ରଦାୟିକ ଦଙ୍ଗା ଚାଲିଥିବା ଅଞ୍ଚଳରେ ନାରୀଙ୍କୁ ଉପଯୋଗ କରିବା ଘଟଣା ଅସହ୍ୟ। ଏ ଭିଡିଓ ଆମକୁ ଖୁବ୍ ବ୍ୟଥିତ କରିଛି। ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଆମେ କରିବୁ। ଏବେ ଏଥିରେ ସରକାର ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମୟ ଆସିଛି। ସାମ୍ବିଧାନିକ ଗଣତନ୍ତ୍ରରେ ଏଭଳି ଘଟଣା ଅସହ୍ୟ। ଦୁଃଶ୍ଚିନ୍ତାର କାରଣ। ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିବା ସହିତ ସେ ଅଞ୍ଚଳର ନାରୀ ସୁରକ୍ଷା ପାଇଁ କ’ଣ ସବୁ ପଦକ୍ଷେପ ନିଆଗଲା ସେ ବିଷୟରେ ସରକାର ସୁପ୍ରିମ୍ କୋର୍ଟଙ୍କୁ ଅବଗତ କରାଇବା ଉଚିତ ବୋଲି ମଧ୍ୟ ପ୍ରଧାନ ବିଚାରପତି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବିଭିନ୍ନ ଗଣମାଧ୍ୟମ ଏବଂ ଭିଡିଓରେ ଯାହା ସବୁ ବର୍ଣ୍ଣନା କରାଯାଇଛି ତାହା ‘ସାମଗ୍ରିକ ସାମ୍ବିଧାନିକ ବିଫଳତା’ ଭଳି ମନେହେଉଛି। କେନ୍ଦ୍ର ସରକାର ଓ ଏନ୍. ବିରେନ୍ ସିଂହଙ୍କ ନେତୃତ୍ବାଧୀନ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିବା ସହିତ ଜୁଲାଇ ୨୮ ତାରିଖ ଦିନ ଏହି ଘଟଣାର ଶୁଣାଣି କରାଯିବ ବୋଲି ଭାରତର ପ୍ରଧାନ ବିଚାରପତି କହିଛନ୍ତି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..