ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ସନ୍ଧ୍ୟା ୬ଟା ୧୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ରାଷ୍ଟ୍ରପତି ପହଞ୍ଚିବେ। ସେଠାରୁ ସିଧାସଳଖ ରାଜଭବନ ଅଭିମୁଖେ ବାହାରିବେ। ରାଜଭବନଠାରେ ରାଜ୍ୟର ଆଦିମ ଜନଜାତି ସମୁଦାୟର ପ୍ରତିନିଧିମାନଙ୍କୁ ଭେଟିବେ ଓ ସେଠାରେ ରାତ୍ର ଯାପନ କରିବେ। ୨୬ତାରିଖରେ କଟକ ଚଣ୍ଡିମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ବାସଭବନ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ। ସେହିଦିନ କଟକରେ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ, କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେବେ। ୨୭ତାରିଖରେ ଭୁବନେଶ୍ୱରର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମକୁମାରୀ କେନ୍ଦ୍ର ଲାଇଟ୍ ହାଉସ୍ କମ୍ପେ୍ଲକ୍ସର ଶିଳାନ୍ୟାସ କରିବା ସହ ଭଦ୍ରକ ଯାଇ ଭଦ୍ରକ ସ୍ୱୟଂଶାସିତ କଲେଜର ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେଇ ନୂଆଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି | ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛି। ବିମାନ ବନ୍ଦରରୁ ରାଜଭବନ ଓ କାର୍ଯ୍ୟକ୍ରମସ୍ଥଳ ସୁରକ୍ଷା ବଳୟରେ ରହିଛି। ରୁଟ ଲାଇନ, କାରକେଡ଼, ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଭୁବନେଶ୍ୱରରେ ୧୨ ଜଣ ଅତିରିକ୍ତ ଉପାୟୁକ୍ତ, ୨୫ ଜଣ ଡିଏସ୍ପି, ୪୦ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ୩୬ ପ୍ଲାଟୁନ ପୋଲିସ ଫୋର୍ସ, ୨ଟି କ୍ୟୁଆର୍ଟି ୟୁନିଟ ଓ ଏସ୍ଓଜି ମୁତୟନ ରହିଛନ୍ତି । ସେହିପରି ୧୬୦ ଜଣ ଟ୍ରାଫିକ ପୋଲିସ ଓ ୧୫୦ ଗୃହରକ୍ଷୀ ବିଭିନ୍ନ ସ୍ଥାନରେ ଜଗିବେ ବୋଲି ସୂଚନା ମିଳିଛି |






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..