ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁର ଘଟଣାକୁ ନେଇ ମୌସୁମୀ ଅଧିବେଶନର ତୃତୀୟ ଦିନରେ ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀ ସଦସ୍ୟମାନେ ମଣିପୁର ପ୍ରସଙ୍ଗରେ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରି ଲଗାତାର ହୋହଲ୍ଲା ଏବଂ ହଟ୍ଟଗୋଳ କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ | ସରକାର ମଣିପୁର ପ୍ରସଙ୍ଗରେ ଲୋକସଭାରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଲୋକସଭାରେ କହିଛନ୍ତି। ତେବେ ବିରୋଧୀ ସାଂସଦମାନେ ଗୃହରେ କାହିଁକି ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ନାହାନ୍ତି ଏବଂ ଏଥିପାଇଁ ସହଯୋଗ କରୁନାହାନ୍ତି ସେନେଇ ଶାହ ପ୍ରଶ୍ନ କରିଛନ୍ତି। ମଣିପୁର ପ୍ରସଙ୍ଗରେ ଆଜି ଗୃହ ୩ ଥର ମୁଲତବୀ ରହିବାପରେ ଶାହ ଆଜି ଗୃହରେ ଏହି ଟିପ୍ପଣୀ ରଖିଛନ୍ତି। ଶାହ କହିଛନ୍ତି, ସମସ୍ତେ ତଥା ଉଭୟ ଶାସକ ଏବଂ ବିରୋଧୀ ଦଳର ନେତାମାନେ ମଣିପୁର ପ୍ରସଙ୍ଗରେ ଆଲୋଚନା ଚାହାନ୍ତି। ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ମୁଁ ମଧ୍ୟ ବିରୋଧୀ ନେତାଙ୍କୁ ଅନୁରୋଧ କରୁଛି। ମଣିପୁର ପ୍ରସଙ୍ଗରେ ସତ ଦେଶ ସାମ୍ନାକୁ ଆସିବା ଉଚିତ ବୋଲି ଶାହ କହିଛନ୍ତି। ତେବେ ଶାହଙ୍କ ଟିପ୍ପଣୀର ଜବାବ ରଖି କଂଗ୍ରେସ କହିଛି, ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟିପ୍ପଣୀ ସଂକ୍ରାନ୍ତ ବିରୋଧୀ ମେଣ୍ଟ ଇ-ଣ୍ଡି-ଆର ଦାବି ଉପରେ ଶାହ ସମ୍ପୂର୍ଣ୍ଣ ନିରବ ଅଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ଖବରର ଶିରୋନାମାରେ ରହିବାପାଇଁ ଶାହ କହୁଛନ୍ତି, ମୋଦୀ ସରକାର ମଣିପୁର ପ୍ରସଙ୍ଗରେ ସଂସଦରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଇ-ଣ୍ଡି-ଆ ମେଣ୍ଟର ସଦସ୍ୟମାନେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ଚାହାନ୍ତି। ଗୃହ ମନ୍ତ୍ରୀ ଉକ୍ତ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବ ଅଛନ୍ତି କାହିଁକି। ପ୍ରଧାନମନ୍ତ୍ରୀ ସଂସଦରେ ଉକ୍ତ ପ୍ରସଙ୍ଗରେ ପ୍ରଥମେ କହିଲେ ଅସୁବିଧା କ’ଣ ବୋଲି ଜୟରାମ ରମେଶ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷେ ବିଜେପି ଦାବି କରିଛି ବିରୋଧୀ ସଦସ୍ୟମାନେ ଜାଣିଶୁଣି ଆଲୋଚନାରୁ ଦୂରେଇ ରହୁଛନ୍ତି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……