ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ବନସେବା (ଆଇଏଫ୍ଏସ୍) ୨୦୨୨ ବ୍ୟାଚ୍ର ପ୍ରୋବେସନର ତଥା ଭାରତୀୟ ପ୍ରତିରକ୍ଷା ଇଷ୍ଟେଟ୍ ସେବା (୨୦୧୮ ଓ ୨୦୨୨ ବ୍ୟାଚ୍)ର ଅଫିସର ଓ ଟ୍ରେନି ଅଫିସରମାନେ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ୍ କରିଥିଲେ। ଏହି ଦଳରେ ଭୁଟାନ ସରକାରଙ୍କ ଟ୍ରେନି ଅଫିସରମାନେ ମଧ୍ୟ ସାମିଲ ଥିଲେ। ଏହି ଅବସରରେ ରାଷ୍ଟ୍ରପତି ମୁର୍ମୁ ଉକ୍ତ ଅଫିସରମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଭୁଟାନର ଟ୍ରେନି ଅଫିସରମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କଠାରୁ ତାଲିମ ଅଭିଜ୍ଞତା ଶୁଣିଥିଲେ। ସମସ୍ତ ଅଫିସର ଓ ଟ୍ରେନି ଅଫିସରଙ୍କୁ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ମୁର୍ମୁ କହିଥିଲେ ଯେ, ପ୍ରଶାସନିକ ଅଧିକାରୀ ଭାବେ ସେମାନଙ୍କ ଯାତ୍ରା ଏପରି ସମୟରେ ଆରମ୍ଭ ହେଉଛି ଯେତେବେଳେ ଭାରତ ସାରା ବିଶ୍ବରେ ଏକ ନେତୃତ୍ବ ଭୂମିକା ଗ୍ରହଣ କରିଛି। ଭାରତ ତା’ର ସାଂସ୍କୃତିକ ବୈଭବ ଓ ପ୍ରଯୌକ୍ତିକ ଉତ୍କର୍ଷ ଲାଗି ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ଭାରତ ସାରା ବିଶ୍ବକୁ ଦେଖାଇଦେଇଛି ଯେ, ପ୍ରଯୁକ୍ତି ଓ ସଂସ୍କୃତି ଏକାଠି ହାତମିଳାଇ ଚାଲିପାରିବେ। ରାଷ୍ଟ୍ରପତି କହିଲେ ଯେ, ଭାରତୀୟ ପ୍ରତିରକ୍ଷା ଇଷ୍ଟେଟ ସେବା ଅଧିକାରୀମାନଙ୍କ କର୍ତ୍ତବ୍ୟ ହେଉଛି, ସେମାନେ ଯେଉଁ ସେବା ଓ ସୁବିଧା ଯୋଗାଉଛନ୍ତି ତାହା ଯେପରି ପରିବେଶ-ଅନୁକୂଳ ଓ ଦୀର୍ଘସ୍ଥାୟୀ ହୁଏ ତାହା ଦେଖିବା। ସୁଶାସନରେ ପ୍ରଯୁକ୍ତି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ ସେମାନେ ନିଜର ବିଷୟଗତ ଦକ୍ଷତା ସହିତ ପ୍ରଯୁକ୍ତି ସହ ତାଳ ଦେଇ ଚାଲିବା ଦରକାର। କ୍ୟାଣ୍ଟନମେଣ୍ଟଗୁଡ଼ିକର ସଫଳ ପ୍ରଶାସନ ଓ ପ୍ରତିରକ୍ଷା ବିଭାଗର ଜମିଗୁଡ଼ିକର ପରିଚାଳନାରେ ପ୍ରଯୁକ୍ତିର ଯଥାସମ୍ଭବ ସର୍ବାଧିକ ବ୍ୟବହାର କରିବା ଲାଗି ସେ ପରାମର୍ଶ ଦେଇଥିଲେ। ଭାରତୀୟ ବନସେବାର ପ୍ରୋବେସନରମାନଙ୍କୁ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଲେ ଯେ, ଭାରତର ଜଳବାୟୁ ଓ ପ୍ରାକୃତିକ ବୈଶିଷ୍ଟ୍ୟ ଜଙ୍ଗଲଗୁଡ଼ିକ ସହ ଓତପ୍ରୋତଭାବେ ଜଡ଼ିତ। ଜଙ୍ଗଲ ଓ ବନ୍ୟଜନ୍ତୁଗୁଡ଼ିକ ଆମ ଦେଶର ଅମୂଲ୍ୟ ସମ୍ପଦ ଓ ଐତିହ୍ୟ। ପାରିବେଶିକ ଅବକ୍ଷୟ, ଜଙ୍ଗଲ କ୍ଷୟ, ବିଶ୍ବ ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ବର୍ତ୍ତମାନ ସାରା ବିଶ୍ବରେ ଚର୍ଚ୍ଚା ଚାଲିଛି। ଏଣୁ ପରିବେଶ ସୁରକ୍ଷା ହେଉଛି ଏକବିଂଶ ଶତାବ୍ଦୀରେ ମୁଖ୍ୟ ଚିନ୍ତାର ବିଷୟ। ଭାରତ ବିଶ୍ବକୁ ‘ଲାଇଫ୍- ଲାଇଫ୍ଷ୍ଟାଇଲ୍ ଫର୍ ଏନଭାର୍ଣ୍ଣମେଣ୍ଟ’ର ମନ୍ତ୍ର ଦେଇଛି। ଜଙ୍ଗଲଗୁଡ଼ିକ ହେଉଛି ସମାଧାନର ଅବିଚ୍ଛେଦ୍ୟ ଅଂଶ ଏବଂ ଭାରତୀୟ ଜଙ୍ଗଲ ସେବା ଅଧିକାରୀମାନେ ହେଉଛନ୍ତି ଏହି ସମାଧାନ-ପ୍ରଦାତା। ଏହି ମନ୍ତ୍ରକୁ ବାସ୍ତବଭାବେ କାର୍ଯ୍ୟକାରୀ କରିବା ଦିଗରେ ସେମାନେ ଅକ୍ଳାନ୍ତ ଉଦ୍ୟମ କରିବା ନେଇ ଆଶା କରାଯାଏ ବୋଲି ରାଷ୍ଟ୍ରପତି କହିଥିଲେ।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……