ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି । ଆଜି ସେ କଟକ ଗସ୍ତରେ ଯାଇଛନ୍ତି | ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ରାଜଭବନରୁ ବାହାରି ସଡ଼କ ପଥରେ କଟକ ବାହାରିଛନ୍ତି । କଟକରେ ପହଞ୍ଚି ମା’ କଟକ ଚଣ୍ଡୀଙ୍କ ଦଶର୍ନ କରିବେ। ସେଠାରେ ପ୍ରାୟ ୧୫ ମିନିଟ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସେଥିପାଇଁ ସଡ଼କ ପଥରେ ଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୂର୍ବରୁ ରାଷ୍ଟ୍ରପତି ହେଲିକପ୍ଟରରେ କଟକ ଗସ୍ତ କରିବେ ବୋଲି ଧାର୍ଯ୍ୟ ହୋଇଥିଲା।ରାଷ୍ଟ୍ରପତି ପ୍ରଥମେ ମାଆ କଟକ ଚଣ୍ଡୀଙ୍କ ଦର୍ଶନ କରି ସେଠାରୁ ମଧୁବାବୁଙ୍କ ଘର ପରିଦର୍ଶନରେ ଯିବେ। ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ଓ ନେତାଜୀ ସଂଗ୍ରହାଳୟ ବୁଲିବା କାର୍ଯ୍ୟକ୍ରମ ରହିଛି। ୧୦ଟା ୪୫ରେ କଟକ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିବେ ରାଷ୍ଟ୍ରପତି। ସେଠାରେ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ପରେ ଜଷ୍ଟିସ ସଂଗ୍ରହାଳୟ ବୁଲି ଓଡ଼ିଶା ହାଇକୋର୍ଟ ଜଜ୍ ଲାଉଞ୍ଜରେ ମଧ୍ୟାହ୍ନ ଭୋଜନ କରିବେ। ପରେ ୨ଟା ୫୦ରେ ଏସସିବି ମେଡିକାଲ କଲେଜ୍ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି। ଅପରାହ୍ଣ ୪ଟା ୧୫ରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେଠାରୁ ସଂଧ୍ୟା ୬ଟା ୩୦ରେ କାର୍ଯ୍ୟକ୍ରମ ସାରି ପୁଣି ରାଜଭବନ ଅଭିମୁଖେ ଫେରିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ କଟକ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ଅନୁରୋଧ କ୍ରମେ ବୁଧବାର କଟକସ୍ଥିତ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କଟକ ରାଜସ୍ବ ବିଭାଗ କମିଶନର ଘୋଷଣା କରିଛନ୍ତି । ରାଷ୍ଟ୍ରପତିଙ୍କ କଟକ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କଟକସ୍ଥିତ ବୋର୍ଡ ଅଫ୍ ରେଭିନ୍ୟୁରେ ଅବସ୍ଥାପିତ ସମସ୍ତ କାର୍ଯ୍ୟାଳୟ ଆର୍ଡିସି , ଜିଲ୍ଲାପାଳ କାର୍ଯ୍ୟାଳୟ, ଉପଜିଲାପାଳଙ୍କ କାର୍ଯ୍ୟାଳୟ,ସବ୍ରେଜିଷ୍ଟ୍ରାର, ପିଡି ଡିଆର୍ଡିଏ, ପରିବହନ କାର୍ଯ୍ୟାଳୟ, ଆଡ୍ଭୋକେଟ ଜେନେରାଲଙ୍କ କାର୍ଯ୍ୟାଳୟ, ତହସିଲଦାରଙ୍କ କାର୍ଯ୍ୟାଳୟ, କଲେକ୍ଟୋରେଟ୍ ପରିସର ସ୍ଥିତ ଏସ୍ବିଆଇ ମୁଖ୍ୟ କାର୍ଯ୍ୟାଳୟ ଓ ୟୁକୋ ବ୍ୟାଙ୍କ, ଜିଲ୍ଲା ଅବକାରୀ କାର୍ଯ୍ୟାଳୟ, ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ରାଜ୍ୟ ପରିବହନ କର୍ତ୍ତୃପକ୍ଷ କମିଶନରଙ୍କ କାର୍ଯ୍ୟାଳୟ, ଜିଲା ଟ୍ରେଜେରି, ବାର୍ କାଉନ୍ସିଲ ନିକଟସ୍ଥ କର୍ପୋରେଶନ ବ୍ୟାଙ୍କ, ହାଇକୋର୍ଟ କ୍ୟାମ୍ପସ୍ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କାର୍ଯ୍ୟାଳୟ, ଚାନ୍ଦିନୀଚୌକସ୍ଥିତ ମୁଖ୍ୟ ପୋଷ୍ଟ ଅଫିସ୍, କଲେକ୍ଟୋରେଟ୍ ସମ୍ମୁଖସ୍ଥ ପୋଷ୍ଟ ଅଫିସ୍, ହାଇକୋର୍ଟ କ୍ୟାମ୍ପସ୍ସ୍ଥିତ ପୋଷ୍ଟ ଅଫିସ ଏବଂ ହାଇକୋର୍ଟ ନିକଟସ୍ଥ ଏଲ୍ଆଇସି ଅଫିସ୍ ଜୁଲାଇ ୨୬ ତାରିଖରେ ବନ୍ଦ ରହିବ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……