ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଅଫିସର ନିଯୁକ୍ତି ଉପରେ ନିୟନ୍ତ୍ରଣ ସମ୍ପର୍କିତ କେନ୍ଦ୍ର ସରକାରଙ୍କ ବିଲ୍ରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ବିବାଦୀୟ ଦିଲ୍ଲୀ ଅଧ୍ୟାଦେଶ ବଦଳରେ ଏହି ବିଲ୍କୁ ପାର୍ଲାମେଣ୍ଟରେ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି। ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ବାରା ଉପସ୍ଥାପିତ ହେବାକୁ ଥିବା ଚିଠା ବିଲ୍ର ନକଲ ସବୁ ସାଂସଦଙ୍କୁ ଦିଆଯାଇଛି। ଉକ୍ତ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ (ସଂଶୋଧନ) ବିଲ୍ରେ ତିନୋଟି ଜିନିଷ କଟାଯାଇଛି ଓ ଗୋଟିଏ ଯୋଡ଼ାଯାଇଛି। ପୂର୍ବରୁ ସୁପ୍ରିମ୍କୋର୍ଟ ଆଦେଶ ଦେଇଥିଲେ ଯେ, ଦିଲ୍ଲୀରେ ଅମଲାମାନଙ୍କ ନିଯୁକ୍ତି ଓ ବଦଳିରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ। ମାତ୍ର କେନ୍ଦ୍ର ସରକାର ଏହି ଆଦେଶକୁ ଗ୍ରହଣ ନ କରି ଉକ୍ତ ଅଧ୍ୟାଦେଶ ଜାରି କରିଥିଲେ। ଅଧ୍ୟାଦେଶ ନିୟମ ଥିଲା ଯେ, ଦିଲ୍ଲୀ ବିଧାନସଭା ‘ରାଜ୍ୟ ଜନସେବା ଓ ରାଜ୍ୟ ଜନସେବା ଆୟୋଗ’ ସମ୍ପର୍କିତ କୌଣସି ଆଇନ ଗୃହୀତ କରାଇପାରିବ ନାହିଁ। ଅଧ୍ୟାଦେଶରୁ ଏବେ ଏହି ଅଂଶଟିକୁ ବାଦ୍ ଦିଆଯାଇଛି। ନୂଆ ବ୍ୟବସ୍ଥା ଅନୁସାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗଠିତ ଜାତୀୟ ରାଜଧାନୀ ପ୍ରଶାସନିକ ସେବା ପ୍ରାଧିକରଣ ଦ୍ବାରା ପ୍ରଦତ୍ତ ତାଲିକା ଭିତ୍ତିରେ ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ବୋର୍ଡ ଓ ଆୟୋଗଗୁଡ଼ିରେ ନିଯୁକ୍ତି ପ୍ରଦାନ କରିବେ। ଉକ୍ତ ଅଧାଦେଶକୁ ନେଇ କିଛିଦିନ ହେଲା ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ବ କରୁଥିବା ଉପରାଜ୍ୟପାଳଙ୍କ ମଧ୍ୟରେ କ୍ଷମତା କନ୍ଦଳ ଚାଲିଥିଲା। ନିକଟରେ ଦିଲ୍ଲୀ ବିଦ୍ୟୁତ୍ ନିୟାମକ ଆୟୋଗ (ଡିଇଆର୍ସି)ର ଅଧ୍ୟକ୍ଷ ନିଯୁକ୍ତିକୁ ନେଇ ଉଭୟଙ୍କ ଭିତରେ ଝଗଡ଼ା ଚର୍ଚ୍ଚାକୁ ଆସିଥିଲା। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କିଛିଦିନ ହେଲା ହେଲା ଦେଶସାରା ବିଭିନ୍ନ ରାଜ୍ୟ ବୁଲି ଏବଂ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରି ଅଧ୍ୟାଦେଶ ବିରୋଧରେ ସମର୍ଥନ ଯୋଗାଡ଼ରେ ଲାଗିଥିଲେ।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..