Report Card Odisha

| Daily Odia News

ବାଧ୍ୟବାଧକତା ହେତୁ ସମର୍ଥନ କରୁଛନ୍ତି ୱାଇଏସ୍‌ଆର କଂଗ୍ରେସ,ବିଜେଡି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକସଭାରେ ଦିଲ୍ଲୀ ସେବା ନିଯୁକ୍ତି ଓ ବଦଳି (ସଂଶୋଧନ) ବିଲ୍‌, ୨୦୨୩ ଆଗତ ହେବା ନେଇ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢା ଏକ ବଡ ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ, ‘‘ଦିଲ୍ଲୀବାସୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବହୁତ ଭଲ ପାଆନ୍ତି। ସେଥିପାଇଁ ଗତ ୧୦ ବର୍ଷ ଧରି ଆମେ ପ୍ରତ୍ୟେକ ଥର ତାଙ୍କ ପାଇଁ ଭୋଟ୍ ଦେଉଛୁ | ଏହା ଏକ ଦେଶ ବିରୋଧୀ ବିଲ୍, ଯେଉଁମାନେ ଏହି ବିଲକୁ ସମର୍ଥନ କରିବେ, ଦେଶ ସେମାନଙ୍କୁ ଦେଶବିରୋଧୀ ଭାବେ ମନେ ରଖିବ। ଯେଉଁମାନେ ଏହି ବିଲକୁ ବିରୋଧ କରୁଛନ୍ତି ସେମାନଙ୍କୁ ଦେଶପ୍ରେମୀ କୁହାଯିବ।’’ ଏଥିସହିତ ସେ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ସଂସଦରେ ଦିଲ୍ଲୀ ସେବା ବିଲ୍ ଭଲି ଏକ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ବିଲକୁ ୱାଇଏସ୍‌ଆର କଂଗ୍ରେସ ଓ ବିଜୁ ଜନତା ଦଳ ସମର୍ଥନ କରିବା ପଛରେ କିଛି ବାଧ୍ୟବାଧକତା ରହିଥିବ। ଏପରି ହୋଇ ନଥିଲେ ଏକ ନିର୍ବାଚିତ ସରକାରର ସମସ୍ତ କ୍ଷମତା କେନ୍ଦ୍ର ସରକାରଙ୍କୁ ଦିଆଯିବା ଭଳି ପ୍ରସ୍ତାବ ଥିବା ବିଲକୁ କେବେ ସମର୍ଥନ କରି ନଥାନ୍ତା ୱାଇଏସ୍‌ଆର କଂଗ୍ରେସ,  ବିଜେଡି। ଏଥିସହ ସେ ହିନ୍ଦୀରେ କହିଥିଲେ- ‘‘କୁଛ୍ ‌ ତୋ ମଜବୁରିଆଁ ରହି ହୋଙ୍ଗି, ୟୁହିଁ କୋଇ ବେୱଫା ନହିଁ ହୋତା। ଜି ଚାହାତା ହେ ସଚ୍ ବୋଲୁଁ, କ୍ୟା କରୁଁ ହୋସଲା ନହିଁ ହୋତା।’’ ତେବେ ରାଜ୍ୟସଭା ସାଂସଦ ଏଭଳି ଏକ ସମୟରେ ଏହି ବିବୃତି ଦେଇଛନ୍ତି ଯେତେବେଳେ ବିଜେଡି ଏହି ବିଲକୁ ସମର୍ଥନ କରିବ ବୋଲି ଘୋଷଣା କରିଥିଲା | ଦିଲ୍ଲୀ ଜାତୀୟ ରାଜଧାନୀ ଅଂଚଳ ସରକାର (ସଂଶୋଧନ) ବିଲ୍‌-୨୦୨୩କୁ ସମର୍ଥନ କରିବାକୁ ବିଜେଡି ଗତକାଲି କହିଥିଲା | ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଜାତୀୟ ରାଜଧାନୀ ଅଂଚଳ ସରକାର (ସଂଶୋଧନ) ବିଲ୍‌-୨୦୨୩ ବିଲ୍‌କୁ ଲୋକସଭାରେ ଆଗତ କରାଯାଇଥିଲା। ଦିଲ୍ଲୀ ନିୟନ୍ତ୍ରଣ ବିଲ୍‌ ନୁହେଁ, ୱାଇଏସ୍‌ଆର କଂଗ୍ରେସ ଲୋକସଭାରେ ଆଗତ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବ ବେଳେ ମଧ୍ୟ ବିଜେପି ସରକାରକୁ ସମର୍ଥନ କରିବ ବୋଲି କହିଛି।

 

 

Breaking News