Report Card Odisha

| Daily Odia News

ମଣିପୁରରେ ପୁଣି ଗୁଳି ବିନିମୟ: ଆଉ ୩ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷରେ ଅଶାନ୍ତ ହୋଇ ପଡ଼ିଥିବା ମଣିପୁର | ଥମିବାର ନାଁ ନେଉନାହିଁ ମଣିପୁର ହିଂସା । ଏହିକ୍ରମରେ ଆଜି ପୁଣି ଥରେ ମଣିପୁରରେ ପ୍ରବଳ ହିଂସା ଦେଖିବାକୁ ମିଳିଛି। ଉଖରୁଲ ଜିଲ୍ଲାର କୁକି ‌ଥୋୱାଇ ଗାଁରେ ଆଜି ପ୍ରବଳ ଗୁଳି ବିନିମୟ ହୋଇଛି। ଏହାପରେ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ ବେଳେ ୩ ଜଣ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଯୁବକମାନଙ୍କ ବୟସ ୨୪ରୁ ୩୫ ବର୍ଷ ମଧ୍ୟରେ ହେବ। ମିଳିଥିବା ସୂଚନା ଅନୁସାରେ, ଆଜି ହଠାତ୍‌ ଏହି ଗାଁ ଓ ଆଖପାଖ ଜଙ୍ଗଲରେ ପ୍ରବଳ ଗୁଳିମାଡ଼ର ଶବ୍ଦ ଶୁଭିଥିଲା। ସୁରକ୍ଷାକର୍ମୀମାନେ ମଧ୍ୟ ଏହାର ମୁକାବିଲା କରିଥିଲେ। ଦୀର୍ଘ ସମୟର ଗୁଳି ବିନିମୟ ପରେ ସବୁ କିଛି ଶାନ୍ତ ପଡ଼ି ଯାଇଥିଲା। ଏହାପରେ ସୁରକ୍ଷାକର୍ମୀମାନେ ଆଖପାଖ ଗାଁ ଓ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ ୩ ଜଣ ଯୁବକଙ୍କ ମୃତଦେହ ମିଳିଛି। ସେମାନଙ୍କ ଶରୀରରେ ବଡ଼ବଡ଼ କ୍ଷତ ଚିହ୍ନ ରହିଛି। ଲାଗୁଛି ଧାରୁଆ ଅସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରାଯାଇଛି। ସେମାନଙ୍କ ଗୋଡ଼କୁ ମଧ୍ୟ ଧାରୁଆ ଅସ୍ତ୍ରରେ ହାଣି ଶରୀରରୁ ଅଲଗା କରି ଦିଆଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପୁଣିଥରେ ଉତ୍ତେଜନା ଦେଖିବାକୁ ମିଳିଛି। ଗାଁ ନିକଟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମେ’ ୩ ତାରିଖରୁ ମଣିପୁରରେ ହିଂସା ଲାଗି ରହିଛି।

Breaking News