ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜସ୍ଥାନର କୋଚିଙ୍ଗ୍ ‘ହବ୍’ କୋଟାରେ ଛାତ୍ର ଆତ୍ମହତ୍ୟା ରୋକିବା ଲାଗି ସମସ୍ତ ହଷ୍ଟେଲ୍ ଓ ପେଇଙ୍ଗ୍ ଗେଷ୍ଟ୍ କୋଠରିରେ ସ୍ପ୍ରିଙ୍ଗ୍ଦିଆ ପଙ୍ଖା ଲଗାଇବା ବାଧ୍ୟତାମୂଳକ ବୋଲି ଜିଲ୍ଲା ପ୍ରଶାସନ ଆଦେଶ ଜାରି କରିଛନ୍ତି । ସୂଚନାଯୋଗ୍ୟ, ଏହି ପଙ୍ଖାରେ କୌଣସି ଭାରୀ ଜିନିଷ ଓହଳିଲେ ଏଥିରେ ଲାଗିଥିବା ସ୍ପ୍ରିଙ୍ଗ୍ ଖୋଲିଯାଇ ପଙ୍ଖା ଛାତରୁ ଅଲଗା ହୋଇଯିବ। କୋଟା ଜିଲ୍ଲାପାଳ ଓମ୍ ପ୍ରକାଶ ବୁନକର ଜାରି କରିଥିବା ଉକ୍ତ ଆଦେଶର ଉଦ୍ଦେଶ୍ୟ ହେଉଛି, ଏହି ସବୁ ରହଣିସ୍ଥାନରେ ରହି ପଢ଼ାପିଢ଼ି କରୁଥିବା ଛାତ୍ରଛାତ୍ରୀମାନଙ୍କୁ ମାନସିକ ସମର୍ଥନ ଓ ସୁରକ୍ଷା ଯୋଗାଇଦେବା ଏବଂ କୋଚିଙ୍ଗ୍ ନେଉଥିବା ଛାତ୍ରଛାତ୍ରୀଙ୍କୁ ଆତ୍ମହତ୍ୟା କରିବାରୁ ନିବୃତ କରିବା। ଏଥିସହିତ ଏହି ଆଦେଶନାମା ୨୦୨୨ ଡିସେମ୍ବରରେ ଜାରି କରାଯାଇଥିବା ପୂର୍ବ ଆଦେଶନାମା ବିଷୟରେ ବି କୋଚିଙ୍ଗ୍ ପ୍ରତିଷ୍ଠାନ, ହଷ୍ଟେଲ୍ ଓ ପେଇଙ୍ଗ୍ ଗେଷ୍ଟ୍ ସୁବିଧା ଯୋଗାଇ ଦେଉଥିବା ବ୍ୟକ୍ତିବିଶେଷଙ୍କୁ ସ୍ମରଣ କରାଇ ଦେଇଛି। ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ପୂର୍ବ ଆଦେଶନାମାରେ କେତେକ ବ୍ୟବସ୍ଥା କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା। ସେଥିରୁ କେତେକ ହେଉଛି, ଛାତ୍ରଛାତ୍ରୀଙ୍କ ପାଇଁ ସାପ୍ତାହିକ ଛୁଟି, ଗୋଟିଏ ଶ୍ରେଣୀରେ ସର୍ବାଧିକ ୮୦ ଛାତ୍ରଛାତ୍ରୀ ବସିବା ବ୍ୟବସ୍ଥା, ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କର ମାନସିକ ଅବସ୍ଥାର ବାଧ୍ୟତାମୂଳକ ପର୍ଯ୍ୟବେକ୍ଷଣ। ଏସବୁ ଅମାନ୍ୟ କଲେ ସମ୍ପୃକ୍ତ ପ୍ରତିଷ୍ଠାନର ମାଲିକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସ୍ରେ ଉଲ୍ଲେଖ କରାଯାଇଛି। ଛାତ୍ରଛାତ୍ରୀମାନଙ୍କ ଆତ୍ମହତ୍ୟା ରୋକିବା ପାଇଁ ଶନିବାର ଦିନ କୋଟା ଜିଲ୍ଲା ପ୍ରଶାସନ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଥିଲେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..