ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ଆଜି ଆଉ ଏକ ଇତିହାସ ରଚିବ | ଅଗଷ୍ଟ ୨୩ ଅର୍ଥାତ ଆଜି ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରଯାନ-୩ ଅବତରଣ କରିବ। ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ନେଇ ଚନ୍ଦ୍ରର ଦକ୍ଷିଣମେରୁରେ ନରମ ଅବତରଣ କରି ଇତିହାସ ରଚନା କରିବାକୁ ଯାଉଛି ଚନ୍ଦ୍ରଯାନ-୩। ସାରା ବିଶ୍ବରେ ଏହାକୁ ନେଇ ଉତ୍କଣ୍ଠା। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଏହାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ କହିଛି ଯେ ସବୁକିଛି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଚାଲିଛି, ନିର୍ଦ୍ଧାରିତ ସମୟରେ ଅବତରଣ କରିବ। ପୂର୍ବରୁ କୁହାଯାଇଥିଲା ଯେ ଯଦି କିଛି ସମସ୍ୟା ଦେଖାଯାଏ, ତେବେ ଅବତରଣରେ ତିନିଚାରିଦିନ ବିଳମ୍ବ ହୋଇପାରେ। କିନ୍ତୁ ଇସ୍ରୋ ଆଜି ଏହାର ଏକ୍ସ (ଟ୍ବିଟର) ହ୍ୟାଣ୍ଡେଲରେ ସୂଚନା ଦେଇଛି ଯେ ମିସନ ଠିକ୍ ରାସ୍ତାରେ ଗତି କରୁଛି ଏବଂ ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ରେ ହିଁ ଏହା ଅବତରଣ କରିବ। ଗତ ରବିବାର ଏହି ମିସନର ଦ୍ୱିତୀୟ ତଥା ଅନ୍ତିମ ଡିବୁଷ୍ଟିଂ ଅପରେସନ୍ ସଫଳତାର ସହ ସମ୍ପାଦନ କରାଯାଇଥିଲା। ଏହାର ଗତିବେଗ ନିୟନ୍ତ୍ରଣ ପ୍ରକ୍ରିୟା ଯଥାରୀତି ଜାରି ରହିଛି। ଚନ୍ଦ୍ରଯାନ-୩ର ଆଭ୍ୟନ୍ତରୀଣ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜାରି ରହିଛି ଏବଂ ନରମ ଅବତରଣ ପାଇଁ ଏହା ସବୁ ଦିଗରୁ ସମର୍ଥ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଇସ୍ରୋ କହିଛି ଯେ ମିସନ ଅପରେସନ୍ସ କମ୍ପ୍ଲେକ୍ସ ଅତ୍ୟନ୍ତ ଉତ୍ସାହିତ। ଚନ୍ଦ୍ରଯାନ-୩ ନିର୍ଦ୍ଧାରିତ ସମୟରେ ହିଁ ଅବତରଣ କରିବ। ଏଥି ସହ ଇସ୍ରୋ ଏକ ଲିଙ୍କ ସେୟାର କରିଛି, ଯାହା ସାହାଯ୍ୟରେ ଜନସାଧାରଣ ଚନ୍ଦ୍ରଯାନ-୩ର ଅବତରଣ ପ୍ରକ୍ରିୟାର ସିଧା ପ୍ରସାରଣ ଦେଖିପାରିବେ। ଏହି ପ୍ରସାରଣ ବୁଧବାର ସନ୍ଧ୍ୟା ୫ଟା ୨୦ରେ ଆରମ୍ଭ ହେବ।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..