ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୩ ପାଇଁ ଜି-୨୦ର ଅଧ୍ୟକ୍ଷ ଭାରତ ନୂଆଦିଲ୍ଲୀରେ ଏହାର ଶିଖର ସମ୍ମିଳନୀ ଆୟୋଜନ କରୁଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବିଦେଶୀ ଅତିଥିମାନଙ୍କ ଯାତାୟାତକୁ ସୁଗମ କରିବା ପାଇଁ କେତେକ କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି ଏବଂ ଏହା ଆଜି ରାତିରୁ ଆରମ୍ଭ ହୋଇଯାଇଛି। ଭାରୀ, ମଧ୍ୟମ ଏବଂ ହାଲୁକା ମାଲ ପରିବହନକାରୀ ଯାନଗୁଡିକୁ ଆଜି ରାତି ୯ଟାରୁ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ଦିଲ୍ଲୀରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ସମାନ ପ୍ରତିବନ୍ଧକ ଶନିବାର ସକାଳ ୫ଟାରୁ ଟ୍ୟାକ୍ସି ଏବଂ ଅଟୋ ଉପରେ ମଧ୍ୟ ଲାଗୁ ହେବ। ଦିଲ୍ଲୀ ସରକାରଙ୍କ ଏକ ଗେଜେଟ୍ ବିଜ୍ଞପ୍ତିରେ କୁହାଯାଇଛି, ଆସନ୍ତାକାଲି ସକାଳୁ ରବିବାର ପର୍ଯ୍ୟନ୍ତ ନୂଆଦିଲ୍ଲୀ ଜିଲ୍ଲାର ସମସ୍ତ ଅଞ୍ଚଳ ଏକ ନିୟନ୍ତ୍ରିତ ଜୋନ୍ ଭାବରେ ପରିଗଣିତ ହେବ। କେବଳ ପ୍ରକୃତ ବାସିନ୍ଦା, ପ୍ରାଧିକୃତ ଯାନ ଏବଂ ଗୁରୁତ୍ୱପୂର୍ଣ୍ଣ ସେବାରେ ଜଡିତ ଯାନଗୁଡିକୁ ଇଣ୍ଡିଆ ଗେଟ୍, ସି-ହେକ୍ସାଗନ୍ ଓ ଅନ୍ୟାନ୍ୟ ସ୍ଥାନକୁ ଯିବାକୁ ଅନୁମତି ଦିଆଯିବ। ଆସନ୍ତାକାଲିଠାରୁ ରବିବାର ପର୍ଯ୍ୟନ୍ତ ସମସ୍ତ କ୍ଲାଉଡ୍ କିଚେନ, ବାଣିଜ୍ୟିକ ପ୍ରତିଷ୍ଠାନ, ବଜାର, ଖାଦ୍ୟ ଡେଲିଭରି ଏବଂ ବ୍ୟବସାୟିକ ଡେଲିଭରି ସେବା ବନ୍ଦ ରହିବ। ନିୟନ୍ତ୍ରିତ ଜୋନରେ ସ୍ବିଗି, ଜୋମାଟୋ, ଆମାଜନ ଏବଂ ଫ୍ଲିପକାର୍ଟ ପରି ସଂସ୍ଥାର ଡେଲିଭରି ସେବାକୁ ଅନୁମତି ଦିଆଯିବ ନାହିଁ। କିନ୍ତୁ ଔଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ପରିବହନ ପାଇଁ ଅନୁମତି ମିଳିବ। ମଙ୍ଗଳବାର ନାଇଜେରିଆର ଏକ ପ୍ରତିନିଧି ଦଳ ସହିତ ବିଶ୍ୱନେତାଙ୍କ ଆଗମନ ଆରମ୍ଭ ହୋଇଛି। ମେକ୍ସିକୋ ଏବଂ ୟୁରୋପୀୟ ୟୁନିଅନର ପ୍ରତିନିଧିମାନେ ଆଜି ନୂଆଦିଲ୍ଲୀରେ ପହଞ୍ଚିବେ। କିନ୍ତୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡ଼ା, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସମେତ ଅଧିକ ସଂଖ୍ୟାରେ ବିଶ୍ବନେତାମାନେ ଆସନ୍ତାକାଲି ପହଞ୍ଚିବେ। ପ୍ରଥମ ଥର ପାଇଁ ଭାରତ ଜି-୨୦ ଶିଖର ସମ୍ମିଳନୀ ଭଳି ଏତେ ବଡ଼ ସମ୍ମିଳନୀର ଆୟୋଜନ କରୁଛି, ଯେଉଁଥିରେ ପୃଥିବୀର ବିଭିନ୍ନ ସ୍ଥାନରୁ ଶକ୍ତିଶାଳୀ ନେତାମାନେ ଯୋଗ ଦେଉଛନ୍ତି। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭାରତୀୟ ବାୟୁସେନାର ଯୁଦ୍ଧବିମାନକୁ ପ୍ରସ୍ତୁତ ରଖାଯାଇଛି। ଜାତୀୟ ରାଜଧାନୀ ଉପରେ ମାନବବିହୀନ ଯାନ ଓ ଡ୍ରୋନ୍ ସମେତ ସମସ୍ତ ପ୍ରକାର ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖାଯିବ। ଲ୍ୟୁଟେନ୍ସ ଦିଲ୍ଲୀ ସମେତ ସହରର କିଛି ଅଂଶରେ ମାଙ୍କଡମାନେ ଉତ୍ପାତ କରିଥାନ୍ତି। ଏହାର ମୁକାବିଲା ପାଇଁ ପ୍ରଭାବିତ ଅଞ୍ଚଳରେ ଏକ ଡଜନରୁ ଅଧିକ ଲଙ୍ଗୁର କଟଆଉଟ୍ ଲଗାଯାଇଛି। ପ୍ରାୟ ୪୦ ଜଣ ତାଲିମପ୍ରାପ୍ତ ବ୍ୟକ୍ତି, ଯେଉଁମାନେ ମାଙ୍କଡମାନଙ୍କୁ ଭୟଭୀତ କରିବା ପାଇଁ ସେମାନଙ୍କ ପରି ଶବ୍ଦ କରିପାରନ୍ତି, ସେମାନଙ୍କୁ ମଧ୍ୟ ନିୟୋଜିତ କରାଯିବ। ମଶାଦମନ ପାଇଁ କୀଟନାଶକ ସ୍ପ୍ରେ ସହିତ ସଜ୍ଜିତ ଆଠଟି ଦଳଙ୍କୁ ନିୟୋଜିତ କରାଯାଇଛି। ସମ୍ମିଳନୀ ପୂର୍ବରୁ ପ୍ରାୟ ୧୮୦ଟି ହ୍ରଦ ଓ ଝରଣାରେ ମଶା ଲାର୍ଭା ଖାଉଥିବା ମାଛଙ୍କୁ ଛଡ଼ାଯାଇଛି। ଅଧିକାରୀମାନେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ରାୟ ୭ ଲକ୍ଷ ଫୁଲ ଓ ସୁନ୍ଦର ପତ୍ରଯୁକ୍ତ ଶୋଭାବର୍ଦ୍ଧକ ଗଛ ଲଗାଇଛନ୍ତି। ପ୍ରାୟ ୧୫,୦୦୦ ଟନ୍ କଠିନ ବର୍ଜ୍ୟବସ୍ତୁ ସଫା କରାଯାଇଛି ଏବଂ ସହରର ଶୋଭାବର୍ଦ୍ଧନ ପାଇଁ ବିଭିନ୍ନ ସ୍ଥାନରେ ୧୦୦ରୁ ଅଧିକ ମୂର୍ତ୍ତି ତଥା ବିଭିନ୍ନ ଡିଜାଇନ୍ ସହିତ ୧୫୦ କୃତ୍ରିମ ଝରଣା ସ୍ଥାପନ କରାଯାଇଛି। ଜି୨୦ ସ୍ୱତନ୍ତ୍ର ସଚିବ (ଅପରେସନ୍ସ) ମୁକ୍ତେଶ ପରଦେଶୀ କହିଛନ୍ତି, ଆୟୋଜକ ରାଷ୍ଟ୍ର ଭାବରେ ଭାରତ ଦ୍ୱିପାକ୍ଷିକ ବୈଠକ ପାଇଁ ଅନେକ ଅନୁରୋଧ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଶିଖର ସମ୍ମିଳନୀ ପାଇଁ ନିରୂପିତ ସ୍ଥାନ ପ୍ରଗତି ମୈଦାନରେ ଥିବା ଭାରତ ମଣ୍ଡପମ୍ରେ ବିଶ୍ୱ ନେତାମାନଙ୍କୁ ଜଣଜଣ କରି ସ୍ବାଗତ କରିବେ। ଭରତ ମଣ୍ଡପମ୍ଠାରେ ଏକ ଡିଜିଟାଲ୍ ଅଭିଜ୍ଞତା ଜୋନ୍ ସୃଷ୍ଟି କରାଯାଉଛି, ଯାହାଦ୍ୱାରା ବିଦେଶୀ ନେତା, ପ୍ରତିନିଧି, ମନ୍ତ୍ରୀ ଓ ମିଡ଼ିଆ କର୍ମଚାରୀମାନେ ଡିଜିଟାଲ୍ କ୍ଷେତ୍ରରେ ଭାରତ କେତେ ଅଗ୍ରଗତି କରିଛି ତାହା ବୁଝିପାରିବେ ବୋଲି ପରଦେଶୀ କହିଛନ୍ତି |






More Stories
ଇଣ୍ଡୋନେସିଆରେ ଭୟଙ୍କର ଦୁର୍ଘଟଣା,୧୬ ମୃତ…..
ଭିବି-ଜି ରାମ ଜି ବିଲ୍ କୁ ରାଷ୍ଟ୍ରପତିଙ୍କ ଅନୁମୋଦନ…..
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..