Report Card Odisha

| Daily Odia News

ବସ୍‌ରେ ହେବ ଯାଞ୍ଚ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ ନିଶାଦ୍ରବ୍ୟ ଚୋରା ଚାଲାଣ ବଢିବାରେ ଲାଗିଛି। ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ରେ ଏସବୁ ଚାଲାଣ କରୁଥିବା ଜଣାପଡ଼ିବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅବକାରୀ ବିଭାଗ ପ୍ରସ୍ତୁତ ହୋଇଛି। ଏଭଳି ନିଶାଦ୍ରବ୍ୟ ଚାଲାଣ ରୋକିବାକୁ ରାଜଧାନୀକୁ ଯାତାୟାତା କରୁଥିବା ବସ୍‌ରେ ଯାଞ୍ଚ କରାଯିବ ବୋଲି ଭୁବନେଶ୍ୱର ଅବକାରୀ ଇନ୍ସପେକ୍ଟର ବିକାଶ କୁମାର ନାୟକ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ନିଶା ବେପାରୀମାନେ ନିଜ ଗାଡ଼ିରେ ଏହି ନିଶାଦ୍ରବ୍ୟ ଚାଲାଣ କରି ବିଭିନ୍ନ ସମୟରେ ଧରାପଡ଼ୁଛନ୍ତି। ଦିନ ହେଉ କି ରାତି ପୁଣି କେତେବେଳେ ପୁଷ୍ପା ଷ୍ଟାଇଲ୍‌ରେ କୁଣ୍ଡା ଭର୍ତ୍ତି ଗାଡିରେ ଚାଲାଣ କରୁଛନ୍ତି। ନିକଟରେ ମଞ୍ଚେଶ୍ୱର ଥାନା ପୋଲିସ କୁଣ୍ଡାଭର୍ତ୍ତି ଟ୍ରକ୍‌ରେ ବହୁ ପରିମାଣର ଗଞ୍ଜେଇ ଜବତ କରିଥିଲା। ତେବେ ନିଜ ଗାଡ଼ିରେ ଚାଲାଣ ବେଳେ ପୋଲିସ ଓ ଅବକାରୀ ଦ୍ୱାରା ବିଭିନ୍ନ ସମୟରେ ଧରାପଡ଼ୁଥିବାରୁ ସେମାନେ ବସ୍‌କୁ ବିକଳ୍ପ ବାଛିଛନ୍ତି। ବସ୍‌ ଡ୍ରାଇଭର, କଣ୍ଡକ୍ଟରଙ୍କୁ କିଛି ଟଙ୍କା ହାତଗୁଞ୍ଜା ଦେଇ ଜିନିଷ ନେବା ଆଳରେ ନିଶାଦ୍ରବ୍ୟକୁ ପ୍ୟାକେଟ କରି ଚାଲାଣ କରୁଛନ୍ତି। ନିକଟରେ ଏଭଳି ଚାଲାଣ କରୁଥିବା ଏକାଧିକ ଅଭିଯୁକ୍ତ ଧରାପଡିବା ପରେ ବସ୍‌ ଯୋଗେ ଚୋରାଚାଲଣ ହେଉଥିବା ଜଣାପଡିଥିଲା। ତେଣୁ ପାର୍ବଣ ସମୟରେ ନିଶା ବେପାରୀମାନେ ସକ୍ରିୟ ହୋଇଥିବାରୁ ଏଥିରେ କିଭଳି ରୋକ୍‌ ଲଗାଯାଇ ପାରିବ ସେନେଇ ଅବକାରୀ ବିଭାଗ ପ୍ରୟାସ ଆରମ୍ଭ କରିଛି। ବିଶେଷକରି କନ୍ଧମାଳ, କୋରାପୁଟ, ବାଲେଶ୍ୱର, କୋଲକାତା, ରାୟପୁର, ବ୍ରହ୍ମପୁର ଆଦି ସ୍ଥାନରୁ ଆସୁଥିବା ସରକାରୀ ଓ ଘରୋଇ ବସ୍‌ଗୁଡିକୁ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛି ଅବକାରୀ ବିଭାଗ। ସେହିପରି ବସ୍‌ର କର୍ମଚାରୀଙ୍କୁ ଏ ନେଇ ଅବଗତ କରାଯାଇଛି। ନିଶାବେପାରୀମାନେ ଏଭଳି ବେଆଇନ ସାମଗ୍ରୀ ଚାଲାଣ କରିବାକୁ ବାଧ୍ୟକଲେ ତୁରନ୍ତ ସୂଚନା ଦେବାକୁ ବସ୍‌ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଥିବା ସୂଚନା ଦିଆଯାଇଛି।

Breaking News