Report Card Odisha

| Daily Odia News

ଡେଙ୍ଗୁ ନେଇ ଆଲର୍ଟରେ ବିଏମ୍‌ସି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀରେ ଡେଙ୍ଗୁ ମୁକାବିଲା ନେଇ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଛି । ଡାକ୍ତର କେତେ ବିଦ୍ୟାଳୟ ଓ ଘର ବୁଲି ଲୋକଙ୍କୁ ସଚେତନ କରିଛନ୍ତି ଏଥିରେ ଆଲୋଚନା ହୋଇଥିଲା । ଏଣିକି କେଉଁ ଡାକ୍ତର, ୱାର୍ଡ ଅଫିସର, ସାନିଟାରୀ ଇନ୍‌ସପେକ୍ଟର କେତେ ଘରକୁ ଗଲେ, କେଉଁ ଅଞ୍ଚଳ ବୁଲିଲେ ତାହାର ଦୈନିକ ରିପୋର୍ଟ ଦେବାକୁ ନର୍ଦ୍ଦେଶ ଦେଇଛନ୍ତି କମିଶନର । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଡେଙ୍ଗୁ ସମ୍ପର୍କରେ ସଚେତନ କରାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସମସ୍ତ ୱାର୍ଡରେ ରବିବାର ଡ୍ରାଏ ଡେ ପାଳନ କରାଯିବ । ସମ୍ପୃକ୍ତ ୱାର୍ଡର କର୍ପୋରେଟରଙ୍କ ନେତୃତ୍ୱରେ ଡ୍ରାଏ ଡେ, ବର୍ଜ୍ୟ ପୃଥକୀକରଣ ଏବଂ ଡେଙ୍ଗୁ ସଚେତନତା ପଦଯାତ୍ରା ଜୋରଦାର ହେବ । ସମସ୍ତ ଜୋନାଲ ଡେପୁଟି କମିଶନର, ୱାର୍ଡ ଅଫିସର ଓ ଏସ୍‌ଆଇମାନଙ୍କୁ ନିର୍ଦ୍ଦେଶ ହୋଇଛି । ଅକ୍ଟୋବରରେ ମଧ୍ୟ ଆମକୁ ଡେଙ୍ଗୁ ସଚେନତା ଚାଲୁ ରଖିବାକୁ ପଡ଼ିପାରେ ବୋଲି ସେ କହିଛନ୍ତି । ସେହିପରି ଦୈନିକ କେଉଁ କେଉଁ ସ୍ଥାନରେ ମଶା ଧୂଆଁ ଦିଆଯାଉଛି ଓ ମଶା ତେଲ ସିଞ୍ଚନ କରାଯାଉଛି, ତାହାର ରିପୋର୍ଟ ୱାର୍ଡ ଅଫିସର ଦେବେ । ବୁସ୍‌ କଟିଂ, ବର୍ଜ୍ୟ ଉଠାଇବା ଠିକ୍‌ ଭାବେ ହେଉଛି କି ନାହିଁ, ଆଦି ସମସ୍ତ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିବେ । ଡେଙ୍ଗୁ ରୋଗୀ ଥିବା ପରିବାରର ଘର ଓ ଘର ଚାରିପାଖ ଭଲ ଭାବେ ଯାଞ୍ଚ କରିବା ଦରକାର । ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ କୁହାଯାଇଛି । ଏହାର ପୂର୍ବାବସ୍ଥା ଏବଂ ପରାବସ୍ଥାର ଫଟୋଚିତ୍ର ଆଣି ବିବରଣୀ ଦେବାକୁ ଆଲୋଚନା କରାଯାଇଛି । ମଳ ନିଷ୍କାସନ ପାଇଁ ୧୪୪୨୦ ଟୋଲ ଫ୍ରି ନମ୍ବର କଲ୍‌ କିମ୍ବା ସଫା ଭୁବନେଶ୍ୱର ଆପ୍‌ରେ ବୁକ୍‌ କରିବାକୁ କୁହାଯାଇଛି । ବୈଠକରେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଏଡିୟୁ ପିଏଚ୍‌ଓ ଇନ ଚାଜ୍‌ର୍ ଡାକ୍ତର ସୁମନ ସୁନ୍ଦରାୟ,ଚିଫ୍‌ ମ୍ୟୁନିସିପାଲ ମେଡିକାଲ୍‌ ଅଫିସର୍‌ ଡାକ୍ତର ସତ୍ୟବ୍ରତ ଛୋଟରାୟ, ନଗର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦୀପକ ବିଶୋଇ, ଡାକ୍ତର, ଜୋନାଲ ଡେପୁଟି କମିଶନର, ସମସ୍ତ ୱାର୍ଡ ଅଫିସର ଉପସ୍ଥିତ ଥିଲେ ।

Breaking News