ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଳିତ ବର୍ଷ ବିଜୁ ଜନତା ଦଳ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏ ‘ଜନସମ୍ପର୍କ ପଦଯାତ୍ରା’ ପାଳନ କରିବ। ଅକ୍ଟୋବର ୨ ତାରିଖରେ ‘ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ’, ଅକ୍ଟୋବର ୯ ତାରିଖରେ ‘ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ’ ଏବଂ ଅକ୍ଟୋବର ୧୧ ତାରିଖରେ ‘ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ’ ପାଳନ ସହିତ ଏ ବର୍ଷର ‘ଜନସମ୍ପର୍କ ପଦଯାତ୍ରା’ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯିବ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦଳର ସମସ୍ତ ଛାମୁଆ ସଙ୍ଗଠନର ରାଜ୍ୟ, ଜିଲ୍ଲା ଓ ବ୍ଲକ ସଭାପତିଙ୍କ ସମେତ ବିଧାୟକ, ଏମ୍ପି, ପର୍ଯ୍ୟବେକ୍ଷକ ଓ ଦଳୀୟ ରାଜ୍ୟ କର୍ମକର୍ତ୍ତାମାନଙ୍କୁ ଏ ସମ୍ପର୍କରେ ଚିଠି ଲେଖିଛନ୍ତି । ଅକ୍ଟୋବର ୧୨ରୁ ମାସେବ୍ୟାପୀ ଦଳର ସକ୍ରିୟ ସଦସ୍ୟମାନଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଜିଲା ପରିଷଦ ଜୋନସ୍ତରୀୟ ଓ ପୌରାଞ୍ଚଳସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜନ କରାଯିବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ବୈଠକ ଓ ଜନସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ୱାର୍ଡରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଞ୍ଚାଯିବ ବୋଲି ନବୀନ କହିଛନ୍ତି । ସେହିପରି ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ ଓ ପରିବେଶ ପ୍ରତିବଦ୍ଧତାର କାର୍ଯ୍ୟକ୍ରମ ମଧ୍ୟ କରାଯିବ । ଡିସେମ୍ବର ୨୬ରେ ଦଳର ୨୭ତମ ପ୍ରତିଷ୍ଠା ଦିବସ ନିର୍ବାଚନମଣ୍ଡଳୀସ୍ତରରେ ପାଳନ କରାଯିବ । ଏହି ଅବସରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ଓ ବରପୁତ୍ରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଓଡ଼ିଶାର ବିକାଶକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ସଂକଳ୍ପ ନିଆଯିବ । ଏହି ପଦଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକୁ ଜିଲା ପର୍ଯ୍ୟବେକ୍ଷକ ଓ ଜିଲା ସଭାପତିମାନେ ତଦାରଖ କରିବେ । ଏହି ସାଙ୍ଗଠନିକ କାର୍ଯ୍ୟକ୍ରମରେ ଦଳର ସବୁ ଛାମୁଆ ସଙ୍ଗଠନର କର୍ମକର୍ତ୍ତାଙ୍କ ସମେତ ପଞ୍ଚାୟତ ଓ ପୌର ନିର୍ବାଚିତ ଲୋକ ପ୍ରତିନିଧି, ବିଧାୟକ ଓ ଏମ୍ପିମାନେ ସାମିଲ ହେବା ପାଇଁ ନବୀନ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସମସ୍ତ କାର୍ଯ୍ୟକ୍ରମ କିଭଳି ସୁଚାରୁରୂପେ ପ୍ରତ୍ୟେକ ସ୍ତରରେ ସମ୍ପନ୍ନ ହେବ ତା’ର ସବିଶେଷ ବିବରଣୀ ତାଙ୍କୁ ଜଣାଇବାକୁ ଦଳର ସଭାପତି ପରାମର୍ଶ ଦେଇଛନ୍ତି।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..