ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମେକ୍ସିକୀୟ ପ୍ରଦେଶ ସିଆପାସ୍ରେ ୩୫ଜଣ ପ୍ରବାସୀ ମହିଳା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଓଲଟି ପଡ଼ିବାରୁ ୧୦ଜଣଙ୍କର ମୃତ୍ୟୁ ଘଟିଛି ଓ ୨୫ଜଣ ଆହତ ହୋଇଥିବା କଥା ‘ଏପିଏଫ୍’ ରିପୋର୍ଟ କରିଛି। କ୍ୟୁବାରୁ ଆସିଥିବା ଏହି ପ୍ରବାସୀ ମହିଳା ଶ୍ରମିକଙ୍କୁ ନେଇ ଟ୍ରକ୍ଟି ସମ୍ଭବତଃ ଯୁକ୍ତରାଷ୍ଟ୍ର ଆମେରିକା ଅଭିମୁଖେ ଯାତ୍ରା କରୁଥିଲା। ଗୁଏଟ୍ମାଲା ସୀମାନ୍ତ ଅଞ୍ଚଳରେ ଏହି ସଡ଼କ ଦୁର୍ଘଟଣା ଘଟିଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ସୂଚନାଯୋଗ୍ୟ, ଏହା ହେଉଛି ଏକ ସପ୍ତାହ ମଧ୍ୟରେ ପ୍ରବାସୀ ଶ୍ରମିକ ଥିବା ଗାଡ଼ିର ଦ୍ବିତୀୟ ସଡ଼କ ଦୁର୍ଘଟଣା। ପ୍ରସିକ୍ୟୁଟର୍ ଅଫିସ୍ରୁ ପ୍ରାପ୍ତ ସୂଚନା ଅନୁସାରେ, ମୃତାହାତମାନେ ହେଉଛନ୍ତି ମହିଳା। ସେମାନଙ୍କ ମଧ୍ୟରେ ଜଣେ ତରୁଣୀ ବି ଅଛନ୍ତି। ସମସ୍ତେ କ୍ୟୁବାରୁ ଆସିଥିବା ପରି ମନେ ହେଉଛି। ପ୍ରଶାନ୍ତ ମହାସାଗର ତଟବର୍ତ୍ତୀ ପିଜିଜିଆପାନ୍ ଓ ଟୋନାଲା ସହରକୁ ସଂଯୋଗ କରୁଥିବା ରାଜପଥର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଯୁକ୍ତରାଷ୍ଟ୍ର ଆମେରିକାକୁ ପ୍ରବେଶ କରିବାକୁ ଚାହୁଁଥିବା ବହୁସଂଖ୍ୟକ ପ୍ରବାସୀ ଶ୍ରମିକ ଏହି ବାଟେ ଯାଆନ୍ତି। ଦୁର୍ଘଟଣାରେ ଉକ୍ତ କାଠ ନିର୍ମିତ ଟ୍ରକ୍ଟି ନଷ୍ଟ ହୋଇଯିବାରୁ ପ୍ରବାସୀ ଶ୍ରମିକମାନଙ୍କର ଲୁଗାପଟା, ବ୍ୟାଗ୍ ଆଦି ରାସ୍ତାରେ ବିଛାଡ଼ି ହୋଇ ପଡ଼ିଥିଲା। ଦ୍ରୁତ ବେଗରେ ଯାଉଥିବା ଏହି ଟ୍ରକ୍କୁ ଡ୍ରାଇଭର୍ ନିୟନ୍ତ୍ରଣ କରି ନ ପାରିବାରୁ ତାହା ଓଲଟି ପଡ଼ିଲା। ଘଟଣାସ୍ଥଳରୁ ଟ୍ରକ୍ ଚାଳକ ଫେରାର ହୋଇଯାଇଛନ୍ତି ବୋଲି ‘ନ୍ୟାସ୍ନାଲ୍ ମାଇଗ୍ରେସନ୍ ଇନ୍ଷ୍ଟିଚ୍ୟୁଟ୍’ ଜାରି କରିଥିବା ବିବୃତିରେ ଉଲ୍ଲେଖ କରିଛି।






More Stories
ହ୍ବାଇଟ ହାଉସ ନିକଟରେ ଗୁଳିକାଣ୍ଡ…..
ବଢ଼ିଲା ରେଳ କର୍ମଚାରୀଙ୍କ ଦରମା…..
ଇବୋଲା ଭାଇରସ କୁ ନେଇ ଭାରତ ଜାରି କଲା ଆଡଭାଇଜରୀ…..