Report Card Odisha

| Daily Odia News

ଭାସିଗଲେ ୨୩ ଯବାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସିକିମ୍‌ରେ ପ୍ରବଳ ବର୍ଷା ଯୋଗୁଁ ତୀସ୍ତା ନଦୀରେ ଆକସ୍ମିକ ବନ୍ୟା ଆସି ସେନାର ପ୍ରାୟ ୨୩ଜଣ ଯବାନ ନିଖୋଜ ହୋଇଯାଇଥିବା ଜଣାପଡିଛି। ନିଖୋଜ ଯବାନଙ୍କ ସନ୍ଧାନ ନେବା ପାଇଁ ବ୍ୟାପକ ତଲାସ ଆରମ୍ଭ କରାଯାଇଥିବା କଥା ସେନା କହିଛି। ଲାଚେନ୍‌ ଉପତ୍ୟକାରେ ଥିବା କେତେକ ପ୍ରତିଷ୍ଠାନ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା କଥା ସେନାର ‘ଇଷ୍ଟର୍ଣ୍ଣ କମାଣ୍ଡ୍‌’ ଜାରି କରିଥିବା ବିବୃତିରେ କହିଛି। ବିବୃତିରେ ଉଲ୍ଲେଖ ଅଛି, ଚୁଙ୍ଗ୍‌ଥାଙ୍ଗ୍‌ ଜଳଭଣ୍ଡାରରୁ ଛଡ଼ା ଯାଇଥିବା ଜଳ ଯୋଗୁଁ ହଠାତ୍‌ ତଳମୁଣ୍ଡର ଜଳସ୍ତର ୧୫ରୁ ୨୦ ଫୁଟ୍‌ ପର୍ଯ୍ୟନ୍ତ ବଢ଼ିଗଲା। ଏଥିପାଇଁ ସିଙ୍ଗ୍‌ତାମ୍‌ ନିକଟ ବରଦଙ୍ଗ୍‌ରେ ‘ପାର୍କ’ କରାଯାଇଥିବା ସେନା ଗାଡ଼ି ପ୍ରଭାବିତ ହେଲା। ୨୩ଜଣ ଯବାନ ନିଖୋଜ ହୋଇଯାଇଥିବା ଏବଂ କେତେକ ଗାଡ଼ି କାଦୁଅରେ ପୋତି ହୋଇପଡ଼ିଥିବା ରିପୋର୍ଟ କରାଯାଇଛି। ତଲାସ ଅଭିଯାନ ଜାରି ରହିଛି। ଲ୍ଲେଖଯୋଗ୍ୟ, ଗତରାତି ସାରା ସିକିମ୍‌ରେ ମୁ‌ଷଳ ଧାରାରେ ବର୍ଷା ହୋଇଥିଲା। ଉତ୍ତର ସିକିମ୍‌ସ୍ଥିତ ଲୋନକ ହ୍ରଦ ଉପରେ ଅତି ପ୍ରବଳ ବର୍ଷା ବର୍ଷିବାରୁ ତାହା କୁଳଲଙ୍ଘିଲା ଓ ତୀସ୍ତା ନଦୀକୁ ବନ୍ୟା ଜଳ ପ୍ରବେଶ କଲା। ସୂଚନାଯୋଗ୍ୟ, ସିକିମ୍‌ ‌ଓ ପଶ୍ଚିମବଙ୍ଗ ଦେଇ ତୀସ୍ତା ନଦୀ ବାଂଲାଦେଶକୁ ପ୍ରବାହିତ ହେଉଛି। ସିକିମ୍‌ ପ୍ରଶାସନ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ‘ହାଇ ଆଲର୍ଟ’ ଜାରି କରିଛି। ସ୍ଥାନୀୟ ବାସିନ୍ଦାମାନେ ରେକର୍ଡ କରି ସେୟାର୍‌ କରିଥିବା ଭିଡିଓରେ ଦେଖାଯାଉଛି ବନ୍ୟା ଜଳରେ ରାସ୍ତଘାଟ ଧୋଇ ଯାଇଛି। ଏହି ଆକସ୍ମିକ ବନ୍ୟାରେ ସିକିମ୍‌ ଓ ପଶ୍ଚିମବଙ୍ଗକୁ ସଂଯୁକ୍ତ କରୁଥିବା ୧୦ ନମ୍ବର ଜାତୀୟ ରାଜପଥର କିଛି ଅଂଶ ମେଲି ନିକଟରେ ଧୋଇଯାଇଛି। ପ୍ରଭାବିତ ଅଞ୍ଚଳ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ କହିଛନ୍ତି, କେହି ଆହତ ହୋଇ ନାହାନ୍ତ, କିନ୍ତୁ ସର୍ବସାଧରଣଙ୍କ ସମ୍ପତ୍ତିର ପ୍ରଭୁତ୍ବ କ୍ଷତି ହୋଇଛି। ସିଙ୍ଗ୍‌ତାମ୍‌ରେ କେତେକ ଲୋକ ନିଖୋଜ ହୋଇଥିବା ଖବର ମିଳିଛି। ରିଲିଫ୍‌ ଅଭିଯାନ ଜାରି ରହିଛି।

Breaking News