ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକ-ତାମିଲନାଡୁ ସୀମାନ୍ତ ଅଞ୍ଚଳ ନିକଟ ଅତ୍ତିବେଲେସ୍ଥିତ ଏକ ଗୋଦାମରେ ବାଣ ରଖାଯାଉଥିବା ବେଳେ ନିଆଁ ଲାଗିଯାଇ ବିସ୍ଫୋରଣ ଘଟିଛି | ବିସ୍ଫୋରଣରେ ୧୩ଜଣ ଲୋକ ଜୀବନ୍ତ ଜଳିଯାଇଥିବା ବେଳେ ୭ଜଣ ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସେଣ୍ଟ୍ରାଲ୍ ରେଞ୍ଜ୍ ‘ଆଇଜିପି’ ବି. ଆର୍. ରବିକାନ୍ତେ ଗୌଡ଼ା କହିଛନ୍ତି, ଆହତମାନଙ୍କୁ ୨ଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଅଛି। ବେଙ୍ଗାଲୁରୁ ଗ୍ରାମୀଣ ଜିଲ୍ଲା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ମଲ୍ଲିକାର୍ଜୁନ ବାଲାଦାନ୍ଦି କହିଛନ୍ତି, ଗୋଦାମରେ ୨୦ଜଣ ଲୋକ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ କେତେ ଜଣ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ସନ୍ଧାନ ନେବା ପାଇଁ ଉଦ୍ୟମ ଚାଲିଛି। ଗୋଦାମ ପାଖରେ ରଖାଯାଇଥିବା କେତୋଟି ଗାଡ଼ି ମଧ୍ୟ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି। ଏହି ଅଗ୍ନିକାଣ୍ଡଜନିତ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିନାହିଁ। ବାଣ ଦୋକାନର ମାଲିକ ଟ୍ରକ୍ରୁ ବାଣ ପେଟି ଓହ୍ଲାଉଥିବା ବେଳେ ଅପ୍ରତ୍ୟାଶିତ ଭାବେ ଗୋଦାମରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ଜାଣିବା ଲାଗି ‘ଫୋରେନ୍ସିକ୍ ସାଇନ୍ସ୍ ଲାବ୍ରଟରି’ ଟିମ୍କୁ ନିୟୋଜିତ କରାଯାଇଛି। ଗୋଦାମ ମାଲିକଙ୍କ ନାଁରେ ‘ଏଫ୍ଆଇଆର୍’ ପଞ୍ଜିକରଣ କରି ତାଙ୍କ ପୁଅ ନବୀନଙ୍କୁ ପୁଲିସ ଅଟକ ରଖିଛି। ଖବର ପାଇ ତୁରନ୍ତ ୩ଟି ଦମକଳ ଘଟଣାସ୍ଥଳକୁ ଯାଇ ନିଆଁ ଲିଭାଇଥିଲେ। ଏହି ଅଘଟଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କ ପାଇଁ କର୍ଣ୍ଣାଟକ ସରକାର ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଛନ୍ତି।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..