ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜୀବନ ବିପନ୍ନ ହେବାର ଆଶଙ୍କା ଥିବାରୁ ନଭେମ୍ବର ୧୯ ପରେ ‘ଏୟାର୍ ଇଣ୍ଡିଆ’ ବିମାନରେ ଯାତ୍ରା ନ କରିବା ଲାଗି କାନାଡାସ୍ଥିତ ‘ଶିଖ୍ ଫର୍ ଜଷ୍ଟିସ୍’ ସଙ୍ଗଠନ ଶିଖ୍ମାନଙ୍କୁ ସତର୍କ କରାଇ ଦେଇଛି। ଏକ ନୂଆ ଭିଡିଓ ବାର୍ତ୍ତାରେ ‘ଶିଖ୍ ଫର୍ ଜଷ୍ଟିସ୍’ର ମୁଖ୍ୟ ଗୁରପତୱନ୍ତ ସିଂହ ପାନ୍ନୁନ୍ କହିଛନ୍ତି | ନଭେମ୍ବର ୧୯ରେ ‘ଏୟାର୍ ଇଣ୍ଡିଆ’ ବିମାନରେ ଯାତ୍ରା ନ କରିବାକୁ ଆମେ ଶିଖମାନଙ୍କୁ କହୁଛୁ । ବିଶ୍ବବ୍ୟାପୀ ଅବରୋଧ କରାଯିବାକୁ ଥିବାରୁ ସେଦିନ ବିଶ୍ବର କୌଣସି ସ୍ଥାନକୁ ‘ଏୟାର୍ ଇଣ୍ଡିଆ’ ବିମାନ ଛଡ଼ାଯିବ ନାହିଁ। ଶିଖ୍ମାନେ ୧୯ ତାରିଖ ପରେ ‘ଏୟାର୍ ଇଣ୍ଡିଆ’ରେ ଯାତ୍ରା କରନ୍ତୁ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଏହି ଦିନ ହିଁ ‘ବିଶ୍ବ ଆତଙ୍କ କପ୍’ ଖେଳାଯିବ। ବିଶ୍ବକୁ ଦେଖାଇ ଦିଆଯିବ ଯେ ଭାରତରେ ଶିଖ୍ ସଂହାର ଘଟିଲା ଏବଂ ଭାରତ ହିଁ ଶିଖ୍ ସଂହାର କଲା। ଆମେ ପଞ୍ଜାବକୁ ସ୍ବାଧୀନ କରିବା ପରେ ଏହି ବିମାନ ବନ୍ଦରଗୁଡ଼ିକର ନାମ ହେବ ସହିଦ ବିୟନ୍ତ ସିଂହ ଓ ସହିଦ ସତୱନ୍ତ ସିଂହ ବିମାନ ବନ୍ଦର। ନଭେମ୍ବର ୧୯ ତାରିଖ ଦିନ ଦିଲ୍ଲୀର ‘ଇଣ୍ଟର୍ନ୍ୟାସ୍ନାଲ୍ ବିମାନ ବନ୍ଦର’ ମଧ୍ୟ ବନ୍ଦ ରହିବ ଏବଂ ତା’ର ନାମ ପରିବର୍ତ୍ତନ କରାଯିବ। ସୂଚନାଯୋଗ୍ୟ, ଅମୃତସରରେ ଜନ୍ମିତ ପନ୍ନୁନ ୨୦୧୯ରୁ ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ (ଏନ୍ଆଇଏ) ଦୃଷ୍ଟିରେ ରହିଛନ୍ତି। ସେବର୍ଷ ‘ଏନ୍ଆଇଏ’ ତାଙ୍କ ନାମରେ ପ୍ରଥମ ମାମଲା ରୁଜୁ କରିଥିଲା। ପଞ୍ଜାବ ଓ ଭାରତର ଅନ୍ୟାନ୍ୟ ପ୍ରାନ୍ତରେ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରଚାର ପ୍ରସାରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଭିଯୋଗ ରହିଛି।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……