Report Card Odisha

| Daily Odia News

ସୃଷ୍ଟି ହେଲା ଲଘୁଚାପ,୧୬ରେ ଅବପାତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଲଘୁଚାପ କ୍ଷେତ୍ର ପ୍ରଭାବରେ ୧୫ ତାରିଖରୁ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ କ୍ଷେତ୍ରଟି କ୍ରମେ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ୧୬ ତାରିଖ ବେଳକୁ ଏହା ଅବପାତର ରୂପ ନେବ। ଏହାର ପ୍ରଭାବରେ ୧୫ ତାରିଖରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏଥିସହ ୧୬ ତାରିଖ ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏହିସବୁ ଜିଲ୍ଲା ଗୁଡ଼ିକ ହେଲା ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ ଓ ଗଂଜାମ। ଏସବୁ ଜିଲ୍ଲାର ପାର୍ଶ୍ୱବର୍ତ୍ତୀ ଜିଲ୍ଲା ମାନଙ୍କରେ ମଧ୍ୟ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ରାଜ୍ୟରେ ଶୀତ ଆରମ୍ଭ ହୋଇଗଲାଣି। ପାହାନ୍ତିଆ ଓ ସନ୍ଧ୍ୟା ସମୟରେ ଶୀତ ଅନୁଭୂତ ହେଉଛି। ଏହା ସହ ପାହାନ୍ତିଆରେ ମଧ୍ୟ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି। ଦାରିଙ୍ଗିବାଡ଼ିରେ ଅଧିକ ଶୀତ ଅନୁଭୂତ ହେଉଛି।

Breaking News