ରିପୋର୍ଟ କାର୍ଡ / ଭୁବନେଶ୍ବର
ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଭୁବନେଶ୍ୱରରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ ନିର୍ମାଣ ଦାୟିତ୍ୱ ନ୍ୟସ୍ତ ହୋଇଛି । ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ତତ୍ତ୍ୱାବଧାନରେ ଏହି ନିର୍ମାଣ କାର୍ଯ୍ୟ ହେବ । ଏଥିପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ୩୨୬.୫୬ କୋଟି ଟଙ୍କାର ଫି’ ଦିଆଯିବ । ରାଜ୍ୟ କ୍ୟାବିନେଟ୍ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଭୁବନେଶ୍ୱର ବିମାନ ବନ୍ଦରଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ନିର୍ମାଣ ନିମନ୍ତେ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଟର୍ଣ୍ଣ କି କନ୍ସଲଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ପାଇଁ ମୋଟ ୫୯୨୯.୩୮କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପ୍ରଥମ ପର୍ଯ୍ୟାୟର କାର୍ଯ୍ୟକୁ ୪ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୬କିମି ଦ୍ୱରତ୍ୱ ମଧ୍ୟରେ ମୋଟ ୨୦ଟି ମେଟ୍ରୋ ଷ୍ଟେସନ ନିର୍ମାଣ କରାଯିବ । ଅତ୍ୟାଧୁନିକ ରେଳ କୋଚ୍ ବ୍ୟବହାର କରାଯିବ । ଅତ୍ୟାଧୁନିକ ଟିକେଟ୍ ବ୍ୟବସ୍ଥା ଓ ସିଗନାଲ ବ୍ୟବହାର ହେବ । ଇଲିଭେଟେଡ୍ ଭାୟଡକ୍ଟ ଉପରେ ସମସ୍ତ ମେଟ୍ରୋ ଧାରଣା ଓ ଷ୍ଟେସନ ରହିବ । ସେହିପରି ବ୍ରହ୍ମପୁର ସହରରେ ରିଂ-ରୋଡ୍ ନିର୍ମାଣ ହେବ । ୧୫୬.୫୧କୋଟି ଟଙ୍କା ବ୍ୟୟରେ ପ୍ରାୟ ୧୨ କିମି ୩୦୦ମିଟର ରିଂ-ରୋଡ୍ ନିର୍ମାଣ କରାଯିବ । ଏଥିପାଇଁ ଟେଣ୍ଡର ଚୂଡ଼ାନ୍ତ ହୋଇଛି । ବ୍ରହ୍ମପୁର ରିଂ-ରୋଡ୍ ନିର୍ମାଣ କାର୍ଯ୍ୟକୁ ଇପିସି କଣ୍ଟ୍ରାକ୍ଟ ମାଧ୍ୟମରେ କରାଯିବ। ଏହି ପ୍ରକଳ୍ପ ଦ୍ୱାରା ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁର ସହରର ବିକାଶ ସହିତ ବ୍ରହ୍ମପୁର ସହରର ଯାତାୟତ ସୁଗମ ହେବ | ଏହି ରିଂ-ରୋଡ୍ ନିର୍ମାଣ କାର୍ଯ୍ୟର ଟେଣ୍ଡର ଆଶୀର୍ବାଦ ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକ୍ସନ ଓ ଆରକେ ଇନଫ୍ରାକପ୍ ପ୍ରାଃ ଲିମିଟେଡ୍ ମିଳିତ ଭାବେ ନେଇଛନ୍ତି। ଏହି କାର୍ଯ୍ୟ ୨୪ମାସ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ସିଡ୍ୟୁଲ ଏରିଆରେ ରେଗୁଲେସନ-୨, ୧୯୫୬ ଆଇନରେ ପ୍ରଚଳିତ ପ୍ରାବଧାନରେ କେତେକ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଅନୁସୂଚିତ ଜନଜାତି ପରାମର୍ଶଦାତା ପରିଷଦର ସୁପାରିଶକୁ ଭିତ୍ତିକରି ରାଜ୍ୟ ସରକାରଙ୍କ ଅନୁମୋଦନରେ ଏହି ଆଇନରେ କେତେକ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଫଳରେ ଜଣେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି ଉପଜିଳ୍ଲାପାଳଙ୍କଠାରୁ ଲିଖିତ ଅନୁମତି ନେଇ ସର୍ବସାଧାରଣ ଉଦ୍ଦେଶ୍ୟରେ ଜମିକୁ ବ୍ୟବହାର କରିପାରିବେ । ଅଥବା କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କ ଉଚ୍ଚଶିକ୍ଷା, ଆତ୍ମନିଯୁକ୍ତି, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଫାଇନାନ୍ସ ସଂସ୍ଥାରେ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ । ଅନ୍ୟ ଜଣେ ଅଣଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ । ଏହି ବ୍ୟକ୍ତି ଯେପରି ଭୂମିହୀନ ବା ଗୃହଶୂନ୍ୟ ନହୁଏ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବା ଉଚିତ୍ । ଯଦି ଉପଜିଲ୍ଲାପାଳ ଅନୁମତି ନଦିଅନ୍ତି ତା’ହେଲେ ସମ୍ପୃକ୍ତ ବ୍ୟକ୍ତି ୬ମାସ ମଧ୍ୟରେ ଜିଲ୍ଲାପାଳଙ୍କୁ ଆବେଦନ କରିପାରିବେ, ଜିଲ୍ଲାପାଳଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ ବୋଲି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ତହସିଲ ଅନ୍ତର୍ଗତ ଗୋଠପାଟଣା ମୌଜାରେ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟ ସୋସାଇଟି ସପକ୍ଷରେ ଆଉ ଏକ ନୂଆ ଲୋୟୋଲା ସ୍କୁଲ ପ୍ରତିଷ୍ଠା ପାଇଁ ୯.୪୦୦ଏକର ସରକାରୀ ଜମି ବିନା ପ୍ରିମିୟମରେ ଲିଜ୍ ସୂତ୍ରରେ ଯୋଗାଇବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ତେବେ ଏଥିପାଇଁ ସୋସାଇଟିକୁ ଜମିର ବଜାର ମୂଲ୍ୟର ୧୦% ହିସାବରେ ଏକକାଳୀନ ଇନ୍ସିଡେଣ୍ଟାଲ ଚାର୍ଜ ଓ ଜମିର ବଜାର ମୂଲ୍ୟର ୦.୨୫% ହିସାବରେ ବାର୍ଷିକ ଭୂରାଜସ୍ୱ ଓ ଭୂରାଜସ୍ୱର ୭୫% ହିସାବରେ ସେସ୍ ଦେବାକୁ ପଡ଼ିବ । ସେହିପରି ଗଞ୍ଜାମ ଜିଲ୍ଲାର ଧରାକୋଟ୍ ବ୍ଲକର ଜାନିଭାଲି ଗାଁ ନିକଟରେ ଋଷିକୁଲ୍ୟା ନଦୀ ଉପରେ ଜାନିଭିଲି ନାମକ ଏକ ବ୍ୟାରେଜ୍ ନିର୍ମାଣ ପ୍ରସ୍ତାବ ଓ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ୮୬.୫୪କୋଟି ଟଙ୍କା(ଜିଏସଟି ବ୍ୟତୀତ) ଖର୍ଚ୍ଚ ହେବ । ଏହାସହିତ ୫ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ନିମନ୍ତେ ଅତିରିକ୍ତ ଏକ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟ ୨୪ମାସ ମଧ୍ୟରେ ଶେଷ ହେବ । ଏହି ପ୍ରକଳ୍ପ ଦ୍ୱାରା ଗଞ୍ଜାମ ଜିଲ୍ଲାର ୫୨୬୭୫ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇପାରିବ । ଏହାସହିତ ବ୍ରହ୍ମପୁର ମହାନଗର ନିଗମକୁ ୬୭.୫ ମିଲିୟନ ଲିଟର ପାନୀୟ ଜଳ ଦୈନିକ ଉପଲବ୍ଧ କରାଇହେବ । ଏହି ପ୍ରକଳ୍ପଟିର ୩୨ ହେକ୍ଟର ଅଂଚଳରେ ମାଛ ଚାଷ ସୁବିଧା ସହ ଭୂତଳ ଜଳର ପୁନଃଭରଣ ଓ ପରିବେଶ ସନ୍ତୁଳନ ରକ୍ଷା କରିହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଜଳଜୀବନ ମିଶନ ଯୋଜନାରେ ବଲାଙ୍ଗିର ଜିଲ୍ଲାର ୨ଟି ମେଗା ପାନୀୟ ଜଳ ପ୍ରକଳ୍ପର ଟେଣ୍ଡରକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟ ୩୦୭.୮୭କୋଟି ଟଙ୍କା ବ୍ୟୟରେ ହାଇଦ୍ରାବାଦର କେୟା ଆଣ୍ଡ କମ୍ପାନୀ କନଷ୍ଟ୍ରକ୍ସନ କରିବ । ଏହି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସଇଁତଳା ବ୍ଲକର ୨୦ଟି ପଂଚାୟତର ୧୧୬ଟି ଗାଁର ପ୍ରାୟ ୯୪୫୫୪ଜଣ ଲୋକ ଉପକୃତ ହେବେ । ଏହି ପ୍ରକଳ୍ପ ୨୪ମାସ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଫାଇଭ-ଟି ଅଧୀନରେ ‘ଆମ ହସ୍ପିଟାଲ’ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏହି ଯେଜାନାରେ ରାଜ୍ୟର ସମସ୍ତ ୧୮୫୮ଟି ସରକାରୀ ଡାକ୍ତରଖାନାକୁ ପର୍ଯ୍ୟାୟକ୍ରମେ ୫ବର୍ଷ ମଧ୍ୟରେ ରୂପାନ୍ତର କରାଯିବ । ୨୦୨୩-୨୪ରୁ ୨୦୨୭-୨୮ ମସିହା ମଧ୍ୟରେ ଏହି ୫ବର୍ଷିଆ ଯୋଜନାରେ ୩୩୮୮.୭୩କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରଥମବର୍ଷରେ ୧୪୯ଟି ସରକାରୀ ହସ୍ପିଟାଲର ସୁଦୃଢ଼ୀକରଣ କରାଯିବ । ସରକାରୀ ଡାକ୍ତରଖାନାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନପୂର୍ବକ ଚିକିତ୍ସା ସେବା ଓ ରୋଗୀ ଅନୁକୂଳ ପରିବେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରାଇବା ଏହି ଯୋଜନାର ଉଦ୍ଦେଶ୍ୟ । ଏହି ଯୋଜନାକୁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।






More Stories
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା……