Report Card Odisha

| Daily Odia News

ରାଜ୍ୟ କ୍ୟାବିନେଟରେ ୩ ପ୍ରସ୍ତାବକୁ ମଞ୍ଜୁରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୬୭ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩ଟି ବିଭାଗ ଯଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୩ଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଏ ସଂକ୍ରାନ୍ତରେ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି। ଓଡିଶା ଷ୍ଟେଟ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମର ଉନ୍ନତିକରଣକୁ କ୍ୟାବିନେଟ ଅନୁମୋଦନ ମିଳିଛି । ସମଗ୍ର ଦେଶରେ ଡିଜିଟାଲ ୱାର୍କଫ୍ଲୋ ସିଷ୍ଟମର ଅନ୍ୟତମ ଶ୍ରେଷ୍ଠ ବ୍ୟବସ୍ଥା ଭାବରେ ଓସ୍ୱାସ୍‌ର ସ୍ୱତନ୍ତ୍ର ଖ୍ୟାତି ରହିଛି । ଏହି ଉନ୍ନତିକରଣ ପଦକ୍ଷେପ ୫ଟି ଢାଞ୍ଚାରେ ଶାସନର ଦକ୍ଷତା ସ୍ତରକୁ ଆହୁରି ଉଚ୍ଚତର ସୋପାନକୁ ନେବା ସହିତ ନାଗରିକ ଅନୁକୂଳ ସ୍ୱଚ୍ଛ ବ୍ୟବସ୍ଥାକୁ ସୁନିଶ୍ଚିତ କରିବ । ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ୧୯୬୨ରେ ପ୍ରତିଷ୍ଠା ହୋଇଥିଲା । ବିଶ୍ୱ ବିଦ୍ୟାଳୟର ଅଧିକାଂଶ ଭିତ୍ତିଭୂମି ୫ ଦଶନ୍ଧିରୁ ଅଧିକ ହୋଇଥିବାରୁ ଏହାର ଜରୁରୀ ମରାମତି, ନବୀକରଣ ଓ ପୁନଃନିର୍ମାଣ ପାଇଁ ୨୦୨୩-୨୪ ରୁ ୨୦୨୭-୨୮, ପାଞ୍ଚ ବର୍ଷ ପାଇଁ ରାଜ୍ୟ କ୍ୟାବିନେଟ ୪୯୧.୪୧ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି । ଆଦିବାସୀ ଉପଦେଷ୍ଟା ପରିଷଦ ଦ୍ୱାରା ତା.୧୧.୦୭.୨୦୨୩ ରିଖରେ ଅନୁମୋଦନ କରାଯାଇଥିବା ପ୍ରସ୍ତାବକୁ ଆଧାର କରି ତା. ୧୪.୧୧.୨୦୨୩ ରିଖରେ ଓଡିଶା ଅନୁସୂଚିତ ଅଞ୍ଚଳରେ ସ୍ଥାବର ସମ୍ପତ୍ତି (ଅନୁସୂଚିତ ଜନଜାତି ଦ୍ୱାରା ) ହସ୍ତାନ୍ତର ଆଇନ, ୧୯୫୬ କୁ ସଂଶୋଧନ କରିବା ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ କରିଥିଲେ। ଶୁକ୍ରବାର ବୈଠକରେ ଉପରୋକ୍ତ ସଂଶୋଧନର ପୁନର୍ବିଚାର କରି କ୍ୟାବିନେଟ ଏ ବିଷୟରେ ଅଧିକ ତର୍ଜମା କରିବା ପାଇଁ ଆଦିବାସୀ ଉପଦେଷ୍ଟା ପରିଷଦକୁ ସୁପାରିଶ କରିଛନ୍ତି।

Breaking News