Report Card Odisha

| Daily Odia News

ହମାସ ଧ୍ୱଂସ ହେବାକୁ ଯାଉଛି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ କହିଛନ୍ତି ଯେ ଉତ୍ତର ଗାଜାରେ ହମାସର ବାଟାଲିୟନଗୁଡ଼ିକ ଧ୍ବଂସ ପାଇବାକୁ ଯାଉଛି। ବିଶେଷକରି ଜବାଲିଆ ଏବଂ ଶେଜାଇୟା ବାଟାଲିୟନରୁ ହମାସର ଅନେକ ସଦସ୍ୟ ଆତ୍ମସମର୍ପଣ କରୁଛନ୍ତି। ଗାଲାଣ୍ଟ କହିଛନ୍ତି, ଆମେ ଜବାଲିଆ ଏବଂ ଶେଜାଇୟାରେ ଥିବା ହମାସର ଶେଷ ଗଡ଼କୁ ଘେରାଉ କରିଛୁ। ତେଣେ ଗାଜାରେ ତୁରନ୍ତ ମାନବିକ ଯୁଦ୍ଧବିରତି ଲାଗି ଏକ ଚିଠା ପ୍ରସ୍ତାବ ଉପରେ ମତଦାନ ପାଇଁ ମିଳିତ ଜାତିସଂଘ ସାଧାରଣ ସଭା ମଙ୍ଗଳବାର ଏକ ଜରୁରୀ ବୈଠକ ଡାକିଛି। ୨୨ ଜଣିଆ ଆରବ ଗ୍ରୁପ୍ ଏବଂ ୫୭ ଜଣିଆ ଇସଲାମିକ୍ ସହଯୋଗ ସଂଗଠନଏହି ବୈଠକ ପାଇଁ ଅନୁରୋଧ କରିଥିଲେ। ଏହି ଚିଠା ପ୍ରସ୍ତାବ ଶୁକ୍ରବାର ଆମେରିକା ଭିଟୋ ପ୍ରୟୋଗ ଦ୍ବାରା ଅଟକାଇଥିବା ନିରାପତ୍ତା ପରିଷଦ ପ୍ରସ୍ତାବ ସହିତ ସମାନ। ଇସ୍ରାଏଲ ଘୋଷଣା କରିଛି ଯେ ସେମାନେ ଗାଜା ଉପତ୍ୟକାକୁ ପ୍ରବେଶ କରୁଥିବା ମାଲ ଯାଞ୍ଚ କରିବା ପାଇଁ ଦ୍ୱିତୀୟ କ୍ରସିଂ ଖୋଲିବେ, ଯାହା ଅବରୋଧିତ ଅଞ୍ଚଳ ପାଇଁ ମାନବିକ ସହାୟତା ପରିମାଣ ବୃଦ୍ଧି କରିବ। ଇସ୍ରାଏଲର ସୁରକ୍ଷା ଅଧିକାରୀମାନେ କହିଛନ୍ତି ଯେ କେରେମ ଶାଲୋମ୍ କ୍ରସିଂ ମଙ୍ଗଳବାର ଗାଜା ଅଭିମୁଖେ ଯାଉଥିବା ସାମଗ୍ରୀର ଯାଞ୍ଚ ପାଇଁ ଖୋଲାଯିବ। ବର୍ତ୍ତମାନ ଇସ୍ରାଏଲର ନିଟଜାନା କ୍ରସିଂ ହେଉଛି ଏକମାତ୍ର ଯାଞ୍ଚ କେନ୍ଦ୍ର। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ହମାସର ଆକ୍ରମଣ ଏବଂ ଗାଜା ଯୁଦ୍ଧ ପରେ ଇସ୍ରାଏଲ କଠିନ ସ୍ଥିତିରେ ରହିଛି। ଆମେ ଇସ୍ରାଏଲକୁ ସାମରିକ ସହାୟତା ପ୍ରଦାନ ଜାରି ରଖିବୁ ଯେ ପର୍ଯ୍ୟନ୍ତ ସେମାନେ ହମାସ କବଳରୁ ମୁକ୍ତି ପାଇନାହାନ୍ତି। ତେଣେ କତର ଗାଜାରେ ନୂଆ ଅସ୍ତ୍ରବିରତି ଆଣିବାର ସମ୍ଭାବନା ଖୋଜୁଥିବା ଜଣାପଡ଼ିଛି।

Breaking News