Report Card Odisha

| Daily Odia News

୬ ମାସ ପରେ ଫେରିଲା ହଜିଲା ପୁଅ, ପାଚେରି ସେପାଖରେ ସୈନିକଙ୍କ ହାତକୁ ଟେକିଦେଇଥିଲେ ବାପା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଥାରେ ଅଛି ରଖେ ହରି ତ ମାରେ କିଏ | ଦୀର୍ଘ ୬ ମାସ ପରେ କୋଳକୁ ଫେରିଛନ୍ତି ହଜିଲା ପୁଅ ସୋହେଲ । ଶନିବାର ତାର ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ଆଫଗାନିସ୍ତାନରୁ ଆମେରିକୀୟମାନେ ବିମାନ ଯୋଗେ ଲୋକଙ୍କୁ ସ୍ଥାନାନ୍ତର ବେଳେ ଦୁର୍ଭାଗ୍ୟବଶତଃ ଟିକିପୁଅଟି ହଜିଯାଇଥିଲା। ବହୁ କଷ୍ଟରେ ଏବେ ଦୀର୍ଘଦିନ ପରେ ଉଦ୍ଧାର କରାଯାଇଛି । ସୂଚନାଥାଉକି, ତାଲିବାନ୍‌ ଆଫଗାନିସ୍ତାନ ଦଖଲ ପରେ ଲୋକେ ଦେଶ ଛାଡ଼ିଥିଲେ । ଫଳରେ ବିମାନ ବନ୍ଦରରେ ଲାଗିଥିଲା ଅସ୍ୱାଭିବକ ଗହଳି । ପରିସ୍ଥିତି ଏପରି ହୋଇଥିଲା ଯେ, ଦଳଚକଟା ପରିସ୍ଥିତି ସୃଷ୍ଟି ହଇଥିଲା । ଏହାରି ଭିତରେ ଗୋଟିଏ ଘଟଣା ସମସ୍ତଙ୍କୁ ଦୁଃଖ ଦେଇଥିଲା । ତା ଥିଲା ସୋହେଲ ନିଖୋଜ ଘଟଣା । ଅଗଷ୍ଟ ୧୯ ତାରିଖରେ ସ୍ଥାନାନ୍ତରଣ ସମୟରେ ଧସ୍ତାଧସ୍ତି ହେବାରୁ ବିମାନ ବନ୍ଦର ପାଚେରି ସେପାଖରେ ଥିବା ‌ଜଣେ ସୈନିକଙ୍କ ହାତକୁ ଦୁଇ ମାସର ଟିକିପୁଅ ସୋହୈଲ୍‌ ଅହମଦିକୁ ବଢ଼ାଇ ଦେଇଥିଲେ ମାଆ ବାପା ।ପୁଅର ଜୀବନ ବଞ୍ଚାଇବାକୁ ବାପା ମାଆ ଅନ୍ୟ ହାତକୁ ଟେକିଦେଇଥିଲେ । ସେବେଠାରୁ ନିଖୋଜ ହୋଇଯାଇଥିଲା ସୋହେଲ୍ ।

ଏନେଇ ନଭେମ୍ବର ‘ରଏଟର୍ସ’ରେ ସୋହଲ୍‌ ନିରୁଦ୍ଦିଷ୍ଟ ନେଇ ଫଟୋ ସହ ସବୁ ତଥ୍ୟ ପ୍ରକାଶ ପାଇଥିଲା । ଗତ କିଛି ଦିନ ସୋହେଲ କାବୁଲ୍‌ରେ ଥିବା ନେଇ ଜଣାପଡିଥିଲା । ହମିଦ୍‌ ସାଫି ନାମରେ ଜଣେ ଟ୍ୟାକ୍ସି ଚାଳକ ତାକୁ ବିମାନ ବନ୍ଦରରୁ ପାଇ ଘରକୁ ନେଇ ନିଜ ପିଲା ପରି ପାଳିଥିଲେ । ଦୀର୍ଘ ୭ ସପ୍ତାହର ବୁଝାମଣା, କାକୁତିମିନତି ଏବଂ ଶେଷରେ ତାଲିବାନ୍ ପୋଲିସଦ୍ବାରା କିଛି ଦିନ ଅଟକ ରହିବା ପରେ ସାଫି ବାଧ୍ୟ ହୋଇ ସୋହୈଲ୍‌କୁ କାବୁଲ୍‌ରେ ଥିବା ତା’ର ଜେଜେବାପା ଏବଂ ଅନ୍ୟ ଆତ୍ମୀୟଙ୍କୁ ଅର୍ପଣ କରିଥିଲେ । ଏବେ ସେମାନେ ଆମେରିକାରେ ରହୁଥିବା ତା’ର ବାପାମାଆ ଏବଂ ୪ ଭାଇଭଉଣୀଙ୍କ ପାଖରେ ଛାଡ଼ିବେ । ଦୁଇ ମାସ ପୂର୍ବେ ତା’ର ବାପାମାଆ ଆମେରିକାକୁ ସ୍ଥାନାନ୍ତରିତ ହୋଇଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ସୋହୈଲ୍‌ର ବାପା ମିର୍ଜା ଅଲି ଅହମଦି ସେଦିନ ବିମାନ ବନ୍ଦରରେ ଅସମ୍ଭବ ଗହଳି ଓ ସୈନିକମାନଙ୍କର ଧସ୍ତାଧସ୍ତି ଦେଖି ପାଚେରି ସେପଟେ ଆମେରିକୀୟ ସୈନିକ ଭଳି ଦେଖାଯାଉଥିବା ୟୁନିଫର୍ମ ପରିହିତ ଜଣେ ବ୍ୟକ୍ତିଙ୍କୁ ଟିକିପୁଅ ସୋହେଲ୍‌କୁ ଟେକି ଦେଇଥିଲେ । ଏହାପରେ ମିର୍ଜା ଏବଂ ତାଙ୍କ ପତ୍ନୀ ସୁରୈୟା କୌଣସିମତେ ସେମାନଙ୍କର ଅନ୍ୟ ଚାରି ପିଲାଙ୍କୁ ଧରି ଆମେରିକା ଅଭିମୁଖେ ଯାଉଥିବା ବିମାନ ଆରୋହଣ କରିବାରେ ସମର୍ଥ ହୋଇଥିଲେ । କିନ୍ତୁ, ସେବେଠାରୁ ଆଉ ସୋହୈଲ୍‌ର ପତ୍ତା ମିଳି ନ ଥିଲା। ସେମାନଙ୍କର ଆଶଙ୍କା ହୋଇଥିଲା କି, ସେଦିନ ତାଙ୍କ ପୁଅ ବିମାନ ବନ୍ଦର ଫାଟକ ନିକଟରେ ହୋଇଥିବା ଠେଲାପେଲାରେ ଦଳିଚକଟି ହୋଇ ମରି ଯାଇଥାଇ ପାରେ। ସେଦିନ ନିଜ ଭାଇଙ୍କ ପରିବାରକୁ ବିମାନ ଚଢ଼ାଇ ଦେଇ ଫେରିବା ବେଳେ ଟ୍ୟାକ୍ସି ଚାଳକ ସାଫି ଏକାକୀ ସୋହେଲ୍‌ ଭୂଇଁରେ ପଡ଼ି କାନ୍ଦୁଥିବା ଦେଖି ଉଠାଇ ନେବା ସହ ତା’ର ବାପାମାଆଙ୍କୁ ଖୋଜାଖୋଜି କରିଥିଲେ । କିନ୍ତୁ, ସେମାନଙ୍କୁ ନ ପାଇ ସେ ସୋହେଲ୍‌କୁ ନିଜ ଘରକୁ ନେଇଯାଇଥିଲେ।

 

Breaking News