Report Card Odisha

| Daily Odia News

ହିମାଚଳ ପ୍ରଦେଶରେ ଭୂସ୍ଖଳନ ୧୩ମୃତ, ୨୫ରୁ ଅଧିକ ନିଖୋଜ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହିମାଚଳ ପ୍ରଦେଶର କିନ୍ନୁରଠାରେ ବୁଧବାର ମଧ୍ୟାହ୍ନରେ ପ୍ରକୃତି ତାଣ୍ଡବ ରଚିଛି । ସିମଳାଠାରୁ ୧୬୩ କିଲୋମିଟର ଦୂର କିନ୍ନୁର ଦେଇ ଯାଇଥିବା ପିଓ-ସିମଳା ଜାତୀୟ ରାଜପଥ-୫ର ନୁଗୁଲସାରୀଠାରେ ଅଚାନକ ପାହାଡ଼ରୁ ଭୂସ୍ଖଳନ ହେବା ଫଳରେ ୨୫ରୁ ଅଧିକ ନିଖୋଜ ଅଛନ୍ତି। ଇତିମଧ୍ୟରେ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୧୪ଜଣଙ୍କୁ ଆହତାବସ୍ଥାରେ ଉଦ୍ଧାର କରାଯାଇପାରିଛି। କିନ୍ନୁରରୁ ହରିଦ୍ବାରା ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ବସ୍‌ରେ ଥିବା ୩୦ଜଣଙ୍କ ସମ୍ପର୍କରେ କୌଣସି ଖବର ମିଳି ନାହିଁ। ଏହା ଧ୍ବଂସସ୍ତୂପ ତଳେ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି। ରାଜପଥର ପ୍ରାୟ ୧୦୦ମିଟର ଧସିଯିବା ଫଳରେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ରାଜପଥ ଦେଇ ଯାଉଥିବା ବହୁ ଗାଡ଼ିର ଭଗ୍ନାବଶେଷକୁ ଉଦ୍ଧାରକାରୀ ଦଳ ମାଟି ତଳୁ ବାହାର କରିଛନ୍ତି। ସେଥିମଧ୍ୟରେ ବସ୍‌, ଟ୍ରକ୍‌ ଓ କାର୍‌ ଆଦି ରହିଛି। ଆଉ କିଛି ଗାଡ଼ି ନିକଟରେ ପ୍ରବାହିତ ସତ୍‌ଲେଜ ନଦୀକୁ ଖସି ପଡ଼ିଥିବା ଆଶଙ୍କା କରାଯାଉଛି।ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍‌, ସିଆଇଏସ୍‌ଏଫ୍‌ ଓ ଆଇଟିବିପି ଯବାନଙ୍କୁ ନିୟୋଜିତ କରାଯାଇଛି। ଆଇଟିବିପିରର ତିନିଟି ବାଟାଲିୟନ ଅଧୀନ ୩୦୦ରୁ ଅଧିକ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଆବଶ୍ୟକ ପଡ଼ିଲେ ସେନାକୁ ଡକାଯିବ ବୋଲି ରାଜ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହିତ ଏହି ଦୁର୍ଘଟଣା ନେଇ ଆଲୋଚନା କରିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଠାକୁରଙ୍କ ସହ କଥା ହୋଇ ଆବଶ୍ୟକ ସହାୟତାର ହାତ ବଢ଼ାଇଛନ୍ତି।

Breaking News